ବାଚସ୍ପତିଙ୍କ ରୁଲିଂକୁ ନେଇ ବିଧାନସଭାରେ ଝଡ଼: ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଗୃହର ମଧ୍ୟଭାଗରେ ବିରୋଧୀ ଦଳ ହଙ୍ଗାମା କଲେ ତାହା ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ। ଶୁକ୍ରବାର ବାଚସ୍ପତି ଦେଇଥିବା ଏଭଳି ରୁଲିଂକୁ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ବିରୋଧ କରିଥିଲେ। ଶନିବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ଭାଜପା ଓ କଂଗ୍ରେସର ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବାଚସ୍ପତି ତୁରନ୍ତ ଏଭଳି ରୁଲିଂକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ରୁଲିଂ ପ୍ରତ୍ୟାହାର ନ ହେବା ଯାଏ ଗୃହ ଚଳାଇ ଦେବୁ ନାହିଁ। ଏଭଳି ରୁଲିଂ ସମ୍ବିଧାନ ବିରୋଧୀ ଏବଂ ବିରୋଧୀଙ୍କ କଣ୍ଠରୋଧ କରିବାର ଏକ ପ୍ରୟାସ ବୋଲି ଉଭୟ ଦଳର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବାରୁ ଗୃହକାର୍ଯ୍ୟ ଠପ୍ ହୋଇଯାଇଛି। ବାଧ୍ୟହୋଇ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୩ଟାଯାଏ ମୁଲତବୀ ଘୋଷଣା କରିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































