ନୀଳଗିରି ଜଗନ୍ନାଥ ମନ୍ଦିରରେ ସୁନା ରୁପା ଗହଣାର ହିସାବ ମିଳୁନି, ୩୦ ବର୍ଷ ହେଲା ଗହଣା ଚୋରିର ତଦନ୍ତ କରୁଛି ପୁଲିସ
ଭୁବନେଶ୍ୱର : ରାଜଧାନୀ ପୂଜା ସମିତି, କଟକ ଚଣ୍ଡୀ, ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଧରା ପଡ଼ିବା ପରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ବ୍ୟାପକ ଅନିୟମିତତା ପଦାକୁ ଆସିଛି। କୁଡ଼ୁଆ ପ୍ରସାଦ ଓ ସୁନା ରୁପା ଗହଣା ହିସାବରେ ହୋଇଥିବା ଅନିୟମିତତାକୁ ମହାଲେଖା ନିୟନ୍ତ୍ରକ (ଏଜି) ଧରିଛନ୍ତି। ସରକାରଙ୍କ ସୁପାରିସ କ୍ରମେ ଏହି ମନ୍ଦିରର ଅଡିଟ୍ ବେଳେ ୯୪ଟି ସୁନା ଗହଣା ଓ ୩୮୬ଟି ରୁପା ଗହଣାର ହିସାବ ମିଳୁନଥିବା ଏଜି ରିପୋର୍ଟରେ ଦର୍ଶାଇଛନ୍ତି। ରତି, ଭରି ଓ ମାସା ମାପରେ ଏହାର ଓଜନ ଲେଖାଯାଇଥିବାରୁ ବର୍ତ୍ତମାନର ଓଜନ କେତେ ତାହା ଏଜି ଠଉରାଇ ପାରିନାହାନ୍ତି। ୨୦୦୪ ମସିହା ପୂର୍ବରୁ ସୁନା ଗହଣାର ହିସାବ ରଖାଯାଇ ନାହିଁ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ମୁତାବକ ନିର୍ବାହୀ ଅଧିକାରୀ ଏହାକୁ ନିଜ ହେପାଜତ୍ରେ ରଖିବା କଥା। କିନ୍ତୁ ସମସ୍ତ ଗହଣା ସେବକଙ୍କ ହେପାଜତ୍ରେ ଥିବାରୁ ଏହି ହିସାବ ନ ମିଳିବା ପାଇଁ ଏଜି ନିର୍ବାହୀ ଅଧିକାରୀ(ଇଓ)ଙ୍କୁ ଦାୟୀ କରିଛନ୍ତି। ପ୍ରଶାସନ ସହ ଦେବୋତ୍ତର କମିସନ ମଧ୍ୟ ହାତ ବାନ୍ଧି ବସିଛନ୍ତି। ୧୯୮୯ ମସିହାରେ ସୁନା ଓ ରୁପା ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେବଳ ମାମଲା କରି ବସିଯାଇଥିଲା। ୩୦ ବର୍ଷ ହେଲା ପୁଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କିମ୍ବା ଟ୍ରଷ୍ଟ ବୋର୍ଡ ମଧ୍ୟ ଆଗ୍ରହ ପ୍ରକାଶ କରିନାହିଁ। ଏଣୁ ମିଳିମିଶି ଠାକୁରଙ୍କ ଗହଣାଗାଣ୍ଠି ହରିଲୁଟ୍ କରିଥିବା ଆଶଙ୍କା କରାଯାଉଛି। ସେହିପରି ମହାପ୍ରଭୁଙ୍କ କୁଡ଼ୁଆ ପ୍ରସାଦ ବିକ୍ରିରେ ହେଉଥିବା ଅନିୟମିତତା ଉପରେ ମଧ୍ୟ ଏଜି ପ୍ରଶ୍ନ ଉଠାଇଛନ୍ତି।
ଅଡିଟ୍ ବେଳେ ଏଜି ସୁନା ଓ ରୁପା ଗହଣାର ଏକ ଯୁଗ୍ମ ଯାଞ୍ଚ କରାଇଥିଲେ। ଯାଞ୍ଚ ବେଳେ ଗତ ୧୫ ବର୍ଷରେ ସୁନା ଗହଣା ୫ଟି ଓ ରୁପା ସାମଗ୍ରୀ ୩୨ଟି ଦାନରେ ମିଳିଥିଲା। ୨୦୦୪ ପୂର୍ବରୁ ହିସାବ କିନ୍ତୁ ପଞ୍ଜୀକୃତ ନାହିଁ। ଏକ ରେଜିଷ୍ଟର ମିଳିଥିଲା ଯେଉଁଥିରେ ୧୯୮୦ ମସିହାରେ ଶେଷ ଦସ୍ତଖତ ହୋଇଥିଲା। ଅର୍ଥାତ୍ ୧୯୮୦ ପରେ ଏହି ରେଜିଷ୍ଟର ଆଉ ବ୍ୟବହାର ହୋଇ ନାହିଁ। ସେହିଭଳି ଏକ ସମ୍ପତ୍ତି ରେଜିଷ୍ଟର ମଧ୍ୟ ମିଳିଥିଲା; ଯେଉଁଥିରେ ଶେଷ ଦସ୍ତଖତ ୧୯୯୩ ମସିହାରେ ହୋଇଥିଲା। ୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ କୌଣସି ହିସାବ ନଥିବାରୁ ଏହି ଅବଧିର ଅଡିଟ୍ ସମ୍ଭବ ହୋଇନଥିବା ଏଜି ଦର୍ଶାଇଛନ୍ତି। ଦୀର୍ଘ ସମୟ ଧରି ହିସାବ ନ ରଖିବା ପାଇଁ ନିର୍ବାହୀ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି। ଦେବୋତ୍ତର କମିସନଙ୍କ ସ୍ବୀକୃତିପ୍ରାପ୍ତ ରେଜିଷ୍ଟରରେ ମନ୍ଦିରର ୧୧୭ଟି ସୁନା ଗହଣା ହିସାବ ରହିଥିଲେ ମଧ୍ୟ ଏଜି ମାତ୍ର ୨୩ଟି ଗହଣା ପାଇଥିଲେ। ତେବେ ଏଥିରୁ ୯୪ଟି ଗାଏବ ଥିଲା। ସେହିଭଳି ରେଜିଷ୍ଟରରେ ୪୧୮ଟି ରୁପା ଗହଣା ପଞ୍ଜୀକୃତ ହୋଇଥିବାବେଳେ ତନଖି ବେଳେ ୩୮୬ ଗହଣା ଗାଏବ ଥିଲା। ଏଣୁ ଏହି ଗହଣାରେ ବ୍ୟାପକ ହେରଫେର ହୋଇଥିବା ଏଜି ଆଶଙ୍କା କରିଛନ୍ତି। ବଡ଼କଥା ହେଉଛି ୨୦୦୦ରୁ ୨୦୦୩ ମସିହା ଭିତରେ ଦାୟିତ୍ବରେ ରହିଥିବା ନିର୍ବାହୀ ଅଧିକାରୀମାନେ ସିକ୍ରେଟ ଲକର୍ରୁ ରାଧାକିଶୋର ମନ୍ଦିର ଅଣ୍ଡରଗ୍ରାଉଣ୍ଡ ଲକରକୁ ସୁନା ଗହଣା ସ୍ଥାନାନ୍ତର କରିଛନ୍ତି। ଏ ନେଇ ଟ୍ରଷ୍ଟ ବୋର୍ଡ ବା ରାଣୀ କେହି ଅବଗତ ନାହାନ୍ତି। ଏଣୁ ବାସ୍ତବରେ କେତେକ ଗହଣା ଥିଲା ଓ କେତେକ ଲୁଟ୍ ହୋଇଛି ତାହା ଜାଣିବା କଷ୍ଟ। ଏଥିପାଇଁ ବିଭିନ୍ନ ସମୟରେ ଦାୟିତ୍ବ ନେଇଥିବା ନିର୍ବାହୀ ଅଧିକାରୀ ମନୋରଞ୍ଜନଙ୍କୁ ଦାୟୀ କରି ଏଜି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































