ମହାପ୍ରଭୁଙ୍କ ଦର୍ଶନ କଲେ ମମତା, ଭାରତବାସୀଙ୍କ ସୁଖସମୃଦ୍ଧି କାମନା କଲେ
ପୁରୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗ, ଭାରତ ତଥା ଭାରତବାସୀଙ୍କ ସୁଖସମୃଦ୍ଧି ଓ ବିଶ୍ବଶାନ୍ତି ପାଇଁ ସେ ପ୍ରାର୍ଥନା କରିଥିବା ମହାପ୍ରଭୁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ କହିଛନ୍ତି। ଦିଲ୍ଲୀରେ ଏନ୍ଆର୍ସି (ସିଏବି) ନେଇ ହିଂସାକାଣ୍ଡ ଚାଲିଥିବା ବେଳେ ଶାନ୍ତି ପାଇଁ ମମତାଙ୍କ ପ୍ରାର୍ଥନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ମମତା ଆଜି ଅପରାହ୍ଣ ୪ଟା ବେଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣ ୪ଟା ୪୦ରେ ମନ୍ଦିରରୁ ବାହାରିଥିଲେ। ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମମତା ସିଂହଦ୍ବାରରେ ସମସ୍ତଙ୍କ ଶୁଭମନାସୀ ଦୀପ ଜାଳିଥିଲେ। ଆସିଲା ବେଳେ ପତିତପାବନ ବାନା ନେଇ ଫେରିଥିଲେ। ବିଶିଷ୍ଟ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ମମତାଙ୍କୁ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ। ତାଙ୍କୁ ମହାପ୍ରଭୁଙ୍କ ପଟ୍ଟଚିତ୍ର ଓ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଉପସ୍ଥିତ ରହି ମମତାଙ୍କୁ ମଧ୍ୟ ସ୍ବାଗତ କରିଥିଲେ। ଦର୍ଶନ ବେଳେ ମମତାଙ୍କ ସହିତ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































