ଥାନା ପରିସରରେ ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ
ଗରଦପୁର : ଜବତ ବାଣ ନିଷ୍କ୍ରିୟ ବେଳେ ପାଟକୁରା ଥାନା ପରିସରରେ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ହେବାରୁ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଥାନା ପାଚେରିକୁ ଲାଗି ଥିବା ୩ଟି ଚାଳଛପର ଘର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ, ପାଟକୁରା ଥାନା ଅନ୍ତର୍ଗତ ପୁନ୍ଦାଳଠାରେ ବେଆଇନ ବାଣ କାରବାର ହେଉଥିବା ଖବର ପାଇ ପୁଲିସ ଗତ ଅକ୍ଟୋବର ୨୬ ତାରିଖରେ ସେଠାରେ ଚଢଉ କରିଥିଲା। ସେଠାରୁ ୩୪୦ଟି ଗଡ଼ମା, ୫୦୦ ତାଳ ଫୋଟକା,୨୦ କେଜି କଳା ବାରୁଦ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ୨ଟି ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିଲା। ଥାନାରେ ଜବତ ହୋଇ ରହିଥିବା ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ପୁଲିସ ନିଜ ହେପାଜତରେ ନିଷ୍କ୍ରିୟ କରିବା ପାଇ ପଦକ୍ଷେପ ନେଇଥିଲା। ଥାନା ପରିସରରେ ଥିବା ଆଇଆଇସିଙ୍କ ବାସଭବନର ଅନତି ଦୂରରେ ଏକ ଗାତ ଖୋଳାଯାଇ ଆଜି ପୂର୍ବାହ୍ନ ୧୨ଟା ବେଳେ ଏଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ତେବେ ପ୍ରାୟ ଘଣ୍ଟାଏ ପରେ ଗାତରୁ ବିସ୍ଫୋରଣ ଘଟିଥିଲା। ଗାତ ଭିତରୁ ନିଆଁ ପିଣ୍ଡୁଳା ଉଠିବା ସହିତ ପ୍ରଚଣ୍ଡ ଶବ୍ଦରେ ଗୋଡ଼ି, ବାଲି, ବାରୁଦ, ଖତ, ଇଟା ଆଦି ୧୫୦ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ଏହି ବିସ୍ଫୋରଣ ସାମଗ୍ରୀ ବାଜିବାରୁ ଜଣେ ଆହତ ହୋଇଥିବା ଜଣାପଡ଼ିଛି।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































