ମାଟ୍ରିକ୍ ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ: ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍ରୁମ ପାର୍ଶ୍ୱ କିରାଣି କକ୍ଷରେ ଲାଗିଲା ନିଆଁ
ସଜନାଗଡ଼,୨୮।୨(ବ୍ୟୁରୋ.): ବାଲେଶ୍ୱର ଜିଲା ନୀଳଗିରି ବଜାରସ୍ଥିତ କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟ୍ରିକ ପରୀକ୍ଷା ଲାଗି ଉକ୍ତ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ୧୧ଟି କେନ୍ଦ୍ର ଯଥା ନୀଳଗିରି ବ୍ଲକର ୯ ଏବଂ ଓପଦା ବ୍ଲକର ୨ଟି କେନ୍ଦ୍ରର ପ୍ରଶ୍ନପତ୍ର ଗଚ୍ଛିତ ଥିଲା। ତେବେ ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍ରୁମ ପାର୍ଶ୍ୱ କିରାଣି କକ୍ଷରେ ନିଆଁ ଲାଗିଥିଲା। କମ୍ପ୍ୟୁଟର, ପ୍ରିଣ୍ଟର ଆଦି ବିଭିନ୍ନ ସାମଗ୍ରୀରେ ନିଆଁ ଲାଗିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବା ପୂର୍ବରୁ ନୀଳଗିରି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ନୀଳଗିରି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଶ୍ନପତ୍ର ନଷ୍ଟ ହୋଇ ନ ଥିବା କହିଛନ୍ତି। ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































