ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ଗାଡ଼ି ଚାଳକଙ୍କଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କାର ଜରିମାନା
ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ତ୍ରାହି ନାହିଁ । କଣ୍ଟ ସରିଲାପରେ, ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ଼ । ନୂଆ ମୋଟରଯାନ ଆଇନକୁ ନେଇ ସରକାର ଦେଇଥିବା ୬ ମାସର କଣ୍ଟ ପୂରିବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୋଲିସ୍ । ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ଛକମାନଙ୍କରେ ଜୋରଦାର ଚାଲିଛି ଚେକିଂ ।
ବିଶେଷ କରି ଭୁବନେଶ୍ୱରର ମୁଖ୍ୟ ଛକମାନଙ୍କରେ ଚାଲିଛି କଡ଼ା ଚେକିଂ । ହେଲମେଟ ପିନ୍ଧି ନ ଥିବା କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ବାକି ସବୁ ଅଞ୍ଚଳରେ ମଧ୍ୟ ଚେକିଂ ଚାଲିଛି । ତେବେ ଆଜିଠାରୁ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିବାରୁ କେତେକ ଲୋକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଆଉ କିଛି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି ।
ସୂଚନାଯୋଗ୍ୟ, ପରିବହନ କମିସନର ମାର୍ଚ୍ଚ ପହିଲାଠାରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ବଡ଼ ଧରଣର ଜରିମାନା ଦେବାକୁ ପଡ଼ିପାରେ ବୋଲି କହିଥିଲେ। ଯେ କୌଣସି ମୁହୂର୍ତରେ ପରିବହନ ଅଧିକାରୀ କିମ୍ବା ପୁଲିସ ଅଟକାଇ ପାରନ୍ତି। କେନ୍ଦ୍ରୀୟ ନିୟମ ଆଧାରରେ ଆସନ୍ତାକାଲିଠାରୁ ପୁଣି କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ। ଏ ସଂକ୍ରାନ୍ତରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ଯେଉଁ ୬ମାସର ମହଲତ ଦେଇଥିଲେ, ସେ ସମୟସୀମା ଆଜି ସରିଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































