ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ସଜନାଗଡ଼, ୪।୩(ବ୍ୟୁରୋ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତ ଡାହିସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୯ଟାରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଦ୍ୟାଧର ମାଣିକଙ୍କ ୨ ବଖରା ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ନୀଳଗିରିରୁ ଅଗ୍ନିଶମବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲା। ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପହଞ୍ଚି ୨ହଜାର ଟଙ୍କା ସହାୟତା କରିଥିବା ବେଳେ ପ୍ରଶାସନସ୍ତରରେ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































