ମଦ ପିଇବାକୁ ନେଇ ଝଗଡ଼ା ହେବା ପରେ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି
ଭୁବନେଶ୍ୱର: ମଦ ପିଇବାକୁ ନେଇ ଭୁବନେଶ୍ୱରର ଚନ୍ଦକା ଥାନା ଅଂଚଳରେ ଥିବା ଏକ ରେଷ୍ଟୁରାଣ୍ଟ ‘ଜଙ୍ଗଲ ଭିଉ’ରେ ଆଜି ଗଣ୍ଡଗୋଳ ହୋଇଛି। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେବାରୁ ଗୁଳିଫୁଟିଛି। ଫଳରେ ଏହି ଘଟଣାରେ ଜଣେ ରେଷ୍ଟୁରାଣ୍ଟରେ କାର୍ଯ୍ୟରତ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ଯୁବକଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ଘଟଣାସ୍ଥଳରେ ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୪ଟାରେ ରେଷ୍ଟୁରାଷ୍ଟକୁ କିଛି ଦୁର୍ବୃତ୍ତ ଖାଇବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟରେ ମଦ ପିଇଥିଲେ। ଏହାରି ମଧ୍ୟରେ ସାମାନ୍ୟ କଥାକୁ ନେଇ ସେମାନେ ରେଷ୍ଟୁରାଣ୍ଟରେ କାର୍ଯ୍ୟରତ ଯୁବକଙ୍କ ସହିତ ବଚସା କରିଥିଲେ। ପରେ ଦୁର୍ବୃତ୍ତମାନେ ଉତ୍ତେଜିତ ହୋଇ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସୂଚନାଯୋଗ୍ୟ, ରାଜଧାନୀରେ ଦୁର୍ବୃତ୍ତମାନେ ପୁଲିସକୁ ଭୟ କରୁ ନାହାନ୍ତି। କଥା କଥାରେ ପକେଟରୁ ପିସ୍ତଲ ବାହାର କରୁଛନ୍ତି। ଅନେକ ସମୟରେ ଦିନ ଦ୍ୱିପ୍ରହରରେ ଚୋରି, ଡକାୟତି ଓ ରାହାଜାନୀ ଘଟଣା ଘଟୁଛି। ପୁଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରୁଥିଲେ ବି ଏହାକୁ ସେମାନେ ହାଲୁକା ଭାବେ ନେଉଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































