ପାର୍କରେ ବୁଲୁଥିବା ସମୟରେ ପାଚେରୀ ଭିତରକୁ ଖସି ପଡ଼ିଲେ ଯୁବକ; ଗଳାକୁ କାମୁଡ଼ି ମାରିଦେଲା ବାଘୁଣୀ
ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀସ୍ଥିତ ଓରମାନ୍ଝିରେ ଥିବା ବିରସା ଜୈବିକ ଉଦ୍ୟାନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପାର୍କକୁ ବୁଲିବାକୁ ଯାଇଥିବା ସମୟରେ ଜଣେ ଯୁବକ ବାଘୁଣୀ ଥିବା ପାଚେରୀ ଭିତରକୁ ଖସି ପଡ଼ିଥିବା ଜଣାପଡ଼ିଛି। ଯୁବକଙ୍କୁ ପାଚେରୀ ଭିତରେ ଦେଖି ସଙ୍ଗେସଙ୍ଗେ ବାଘୁଣୀ ଦୌଡ଼ି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲା।ବାଘୁଣୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ପାଚେରୀ ଭିତରୁ ଉଦ୍ଧାର କରିଥିଲା। ଯୁବକଙ୍କ ପରିଚୟ ମିଳିନାହିଁ ତେବେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ପାର୍କ କର୍ମଚାରୀଙ୍କ କହିବାନୁସାରେ, ଯେଉଁ ବାଘୁଣୀ ଉକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲା। ତାହାର ନାମ ଅନୁଷ୍କା। ଯେମିତି ହିଁ ଯୁବକ ପାଚେରୀ ଭିତରକୁ ଖସି ପଡ଼ିଥିଲେ ତୁରନ୍ତ ବାଘୁଣୀ ତାଙ୍କ ପାଖକୁ ଆସି ଗଳାକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲା। ବାଘୁଣୀର ଏହି ଆକ୍ରମଣରେ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।ଏଯାବତ ଯୁବକ ଜଣକ ବାଘୁଣୀ ଥିବା ପାଚେରୀ ଭିତରକୁ କେମିତି ଖସି ପଡ଼ିଥିଲେ ତାହା ଜଣାପଡ଼ି ନାହିଁ। ବର୍ତ୍ତମାନ ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି। ତେବେ ପାର୍କ ଭିତରେ ଉପସ୍ଥିତ ଥିବା ଲୋକମାନେ ଯୁବକ ଜଣକ ଜାଣିଶୁଣି ବାଘୁଣୀ ଥିବା ପାଚେରୀ ଭିତରକୁ ଡେଇଁ ପଡ଼ିଥିବା କହୁଛନ୍ତି। କାରଣ ଗୋଟିଏ କାନ୍ଥ ଓ ଜାଲିକୁ ଅତିକ୍ରମ କଲେ ଯାଇ ଜଣେ ବାଘୁଣୀ ଥିବା ପାଚେରୀ ପର୍ଯ୍ୟନ୍ତ ପହଞ୍ଚି ପାରିବ।ତେବେ ଏହି ଘଟଣା ପୂର୍ବରୁ ୨୦୧୮ ନଭେମ୍ବର ମାସରେ ବିରସା ଜୈବିକ ଉଦ୍ୟାନ୍ରେ ମାହନ୍ତ ମହେନ୍ଦ୍ରଙ୍କୁ କଚାଡ଼ି କଚାଡ଼ି ରାମୁ ନାମକ ଏକ ହାତୀ ମାରି ଦେଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ଥିଲା କି, ମହେନ୍ଦ୍ର ହାତୀ ରାମୁକୁ ୧୨ବର୍ଷ ପର୍ଯ୍ୟନ୍ତ ଦେଖାଶୁଣା କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































