ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଛବିଚାର କରନି
ଭୁବନେଶ୍ୱର(ଉ ଲା ପ୍ର ): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ଦ୍ଧାରଣ ହୋଇନଥିବାରୁ ଆନ୍ତଃ ରାଜ୍ୟ ଚେକଗେଟ୍ ଗୁଡ଼ିକରେ ମାଲ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏବେ ଲକଡାଉନ୍ ଅବଧିରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଜରୁରୀ ଥିବାରୁ ଏଭଳି ଅଚଳାବସ୍ଥାକୁ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି। ଦେଶବ୍ୟାପୀ ଲକଡାଉନ୍ ଯୋଗୁ ଆନ୍ତଃ ରାଜ୍ୟ ଚେକଗେଟରେ ସାମଗ୍ରୀ ପରିବହନକୁ ନେଇ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏବେସୁଦ୍ଧା କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ବାଦ୍ ଦେଲେ ସମସ୍ତ ପ୍ରକାରର ପରିବହନ ସେବାକୁ ବାତିଲ କରିଦିଆଯାଇଛି। ତେବେ କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ତା’ର ବାଛବିଚାର ଏବେ କଲେ ତାହା ଚେକଗେଟସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ। ଏଥିଯୋଗୁ ମଧ୍ୟ ଚେକଗେଟଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ମାଲବାହୀ ଗାଡ଼ିଗୁଡ଼ିକ ଉଭୟପାଶ୍ୱର୍ରେ ଅଟକି ରହିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଭଳି ଅଭିଜ୍ଞତା ଓଡ଼ିଶାକୁ ମିଳିଥିଲା। ସେତେବେଳେ ମାଲ ପରିବହନରେ କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ତା’ର ବାଛବିଚାର କରିବାବେଳେ ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପ୍ରଭାବିତ ହୋଇଥିଲା। ଏହାସହିତ ସାମଗ୍ରୀ ଗୁଡ଼ିକୁ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ବର୍ଗରେ ବିଭକ୍ତ କରି ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ଏବଂ ତୃଣମୂଳସ୍ତରରେ ତାକୁ ପାଳନ କରିବାରେ ମଧ୍ୟ ସମସ୍ୟା ରହିଛି।
ତେଣୁ ଏହି ଦୃଷ୍ଟିରୁ ସାମଗ୍ରୀକୁ ବର୍ଗୀକରଣ ନକରି ଦେଶବ୍ୟାପୀ ମାଲ ଓ ସାମଗ୍ରୀର ଅବାଧ ପରିବହନ କରିବା ନିମନ୍ତେ ଅନୁମତି ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏହାଫଳରେ ଚେକଗେଟ ଗୁଡ଼ିକରେ ଭିଡ଼ ହ୍ରାସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ଯୋଗାଣ ମଧ୍ୟ ପ୍ରଭାବିତ ହେବ ନାହିଁ। ଲକଡାଉନ୍ ସମୟରେ ଦ୍ରବ୍ୟ ଓ ସାମଗ୍ରୀଗୁଡ଼ିକ ଉପଲବ୍ଧ କରାଇବା ଏବେ ସମସ୍ତ ଦେଶ ଉପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ଶ୍ରୀ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































