ନିଜେ ମରିଗଲେ, ୪ ଜଣକୁ ଦେଇଗଲେ କରୋନା, ଏକାନ୍ତବାସରେ ୧୧୦
ପାଟ୍ନା: କରୋନା ଭାଇରସ ଏବେ ସାରା ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ହଜାର ହଜାର ଲୋକ ଏହି ଭାଇରସ୍ ଦ୍ବାରା ଜୀବନ ହରାଇ ସାରିଥିବା ବେଳେ ବିହାରର ଜଣେ ବ୍ୟକ୍ତି ଏହି ସଂକ୍ରମଣର ଶିକାର ହେବା ପରେ ନିଜେ ମୃତ୍ୟୁ ବରଣ କରିବା ସହ ୪ ଜଣକୁ ସଂକ୍ରମିତ କରାଇଛନ୍ତି ଓ ତାଙ୍କ ହେତୁ ବର୍ତ୍ତମାନ ୧୧୦ ଜଣଙ୍କୁ ଆସୋଲେସନ୍(ଏକାନ୍ତବାସ) ୱାର୍ଡରେ ରଖାଯାଇଛି। ବ୍ୟକ୍ତି ଜଣଙ୍କ ନିଜ ପରିବାରର ୨ ଜଣ ଓ ଚିକିତ୍ସିତ ହେଉଥିବା ପାଟ୍ନାର ଏକ ବେସରକାରୀ ହସ୍ପିଟାଲ୍ର ୨ ଜଣଙ୍କୁ ସଂକ୍ରମିତ କରାଇଥିବା ସୂଚନା ରହିଛି।
ବ୍ୟକ୍ତି ଜଣକ ହେଉଛନ୍ତି ବିହାର ମୁଙ୍ଗେରର ବାସିନ୍ଦା। ତାଙ୍କୁ ମୃତ୍ୟୁ ବେଳକୁ ୩୮ ବର୍ଷ ବୟସ ହୋଇଥିଲା। ସେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ୍ର ଜଣେ ୱାର୍ଡ ବୟ ଏବଂ ଜଣେ ଟେକ୍ନିସିୟାନ ବିନା ସଚେତନରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଦୁହେଁ ମଧ୍ୟ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି।
ଲ୍ୟାବ୍ ଟେକ୍ନିସିୟାନ୍ ଜଣକ ବିଭିନ୍ନ ସ୍ଥାନକୁ ଯିବା ପରେ ପ୍ରାୟ ୫୦ ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କୁ ମଧ୍ୟ ଏବେ ଏକାନ୍ତବାସରେ ରଖାଯାଇଛି। ସେ ଏକ ବିବାହ ଉତ୍ସବରେ ବି ଯୋଗ ଦେଇଥିଲେ। ସେହି ଉତ୍ସବରେ ପ୍ରାୟ ୮୦ ଜଣ ଉପସ୍ଥିତ ଥିଲେ। ଆଇସୋଲେସନ୍ରେ ଥିବା ୧୧୦ ଜଣଙ୍କ ମଧ୍ୟରୁ ୪୪ ଜଣ ପାଟ୍ନାର ହୋଇଥିବା ବେଳେ ଆଉ ବାକି ମାନେ ମୁଙ୍ଗର୍ର।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ସଂକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ କତାର୍ରେ କାମ କରୁଥିଲେ। ଭାଇରସ୍ ସେଠାରୁ ହିଁ ସେ ସାଥିରେ ନେଇ ଭାରତକୁ ଆସିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































