ଭଦ୍ରକ ସିଲ୍ : ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପୁଲିସ୍ ଖୋଜୁଛି
ଭଦ୍ରକ : ଭଦ୍ରକରୁ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ସହରକୁ ସିଲ୍ କରିଦିଆଯାଇଛି।
ଦୁବାଇ ଫେରନ୍ତା ଏହି ଯୁବକଙ୍କ ରକ୍ତ ନମୁନାରେ କୋବିଡ୍-୧୯ ଭୂତାଣୁ ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ ହୋମ୍ରେ ରଖାଯାଇଛି। କେବଳ ସେତିକି ନୁହେଁ, ସଂକ୍ରମିତ ଯୁବକଙ୍କ ସହ ଆଉ କିଏ ସଂସ୍ପର୍ଶରେ ଆସିଛନ୍ତି, ସହରର କେଉଁ ଦୋକାନ, ବଜାରକୁ ଯୁବକଜଣକ ଯାଇଛନ୍ତି ସେ ସଂପର୍କରେ ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ ଟିକିନିକି ଖବର ସଂଗ୍ରହ କରିବା ସହ ସେମାନଙ୍କୁ ଠାବ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ଆଜି ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିବାବେଳେ ସହର ଭିତରକୁ କାହାକୁ ଛଡ଼ାଯାଉନାହିଁ। ସବୁଠୁ ବଡ଼ କଥା ହେଉଛି, ସଂକ୍ରମିତ ଯୁବକଙ୍କ ଶରୀରରେ ମାରାତ୍ମକ କୋଭିଡ୍ ଭୂତାଣୁ ଠାବ ହୋଇଥିଲେ ହେଁ ତାଙ୍କ ଶରୀରରେ ଏଯାବତ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ଏମିତିକି ଗତକାଲି ରାତିରେ ତାଙ୍କୁ ଘରୁ କଟକ ନିଆଯିବା ବେଳେ ସେ ସ୍ବାଭାବିକ ସୁସ୍ଥ ଥିଲେ। ତାଙ୍କ ଶରୀରରେ ବି ଥଣ୍ଡା କିମ୍ବା ଜ୍ବରର କୌଣସି ଲକ୍ଷଣ ନଥିଲା ।
ସୂଚନା ମୁତାବକ, ଭଦ୍ରକର ଏହି ୨୯ ବର୍ଷୀୟ ଯୁବକ ଦୁବାଇର ଏକ ଘରୋଇ କଂପାନିରେ କାମ କରୁଥିଲେ। ମାର୍ଚ୍ଚ ୧୮ ତାରିଖରେ ସେ ଦୁବାଇରୁ ଫ୍ଲାଇଟ୍ ଯୋଗେ କୋଲକାତା ଆସିବା ପରେ ହାୱାଡା ଷ୍ଟେସନ୍ରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ଧରି ରାତିରେ ଭଦ୍ରକରେ ପହଞ୍ଚିଥିଲେ। ଭଦ୍ରକ ରେଳ ଷ୍ଟେସନରୁ ଏକ ଅଟୋ ଭଡ଼ା କରି ନିଜ ଘରକୁ ଆସିବା ପରେ ସେ ରାଜ୍ୟ ସରକାରଙ୍କ ୧୦୪ ନମ୍ବରକୁ ଫୋନ୍ କରି ନିଜ ନାମ ପଞ୍ଜୀକରଣ କରିବା ସହ ରକ୍ତନମୁନା ପରୀକ୍ଷା କରିବାକୁ ଦେଇଥିଲେ। ସେହିଦିନଠାରୁ ଯୁବକ ଜଣଙ୍କ ନିଜ ଘରେ ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ। ଏହି ସମୟରେ ସେ କାହା କାହା ସହ ମିଶିଥିଲେ, କେଉଁଠିକି ଯାଇଥିଲେ ସେ ସଂପର୍କରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ ଚାଲିଛି।
ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କୁ ଏହା ମଧ୍ୟରେ ଠାବ କରାଯାଇଛି। ଚିହ୍ନଟ ପରେ ସେମାନଙ୍କୁ ଆଜି କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଭଦ୍ରକ ଏକ ଜନଗହଳିପୂର୍ଣ୍ଣ ସହର ହୋଇଥିବାରୁ ପ୍ରତିଷେଧକ ବ୍ୟବସ୍ଥାସ୍ବରୂପ ପ୍ରଶାସନ ଓ ପୁଲିସ ପକ୍ଷରୁ ସମଗ୍ର ସହରକୁ ସିଲ୍ କରି ଦିଆଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































