କରୋନା ନୁହେଁ ଇମ୍ରାନଙ୍କୁ କଶ୍ମୀର ଚିନ୍ତା, ପାକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୩୫୦
ଇସଲାମାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଏବେ ୨୦୨ ଦେଶ ଲଢ଼ୁଛନ୍ତି। ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କଶ୍ମୀରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କରୋନାରେ ଏଯାବତ ପାକିସ୍ତାନରେ ୨୩୬୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ପୂର୍ବରୁ କରୋନା ମୁକାବିଲା ପାଇଁ ସାର୍କ ଦେଶର ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଭିଡିଓ କନଫରେନସିଂ ବୈଠକରେ ପାକିସ୍ତାନ ଯୋଗ ଦେଇଥିଲା। ହେଲେ କରୋନା ନୁହେଁ କଶ୍ମୀର ପ୍ରସଙ୍ଗରେ ମତ ରଖିଥିଲା।
ଦିନକ ତଳେ କେନ୍ଦ୍ର ସରକାର ଜମ୍ମୁ କଶ୍ନୀରରେ ରି-ଅର୍ଗାନାଇଜେସନ ଅର୍ଡର ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏବେ ଏହାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଜନସଂଖ୍ୟାରେ ପରିବର୍ତ୍ତନ ପାଇଁ ଗୋଟିଏ ଷଡ଼ଯନ୍ତ୍ର। ସମସ୍ତ ନିୟମକୁ ଉଲ୍ଲଂଘନ କରି ମୋଦୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତି ୨୦୨୦ରେ ହେବାକୁ ଥିବା ଚତୁର୍ଥ ଜେନେଭା ସମ୍ମିଳନୀକୁ ଉଲ୍ଲଂଘନ କରୁଛି। ହିନ୍ଦୁଙ୍କ ଶ୍ରେଷ୍ଠ ସରକାର ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତିତୁ ପାକିସ୍ତାନ ନିନ୍ଦା କରୁଛି ବୋଲି ଇମ୍ରାନ୍ କହିଛନ୍ତି।
ଅନ୍ୟ ଏକ ଟୁଇଟରେ ଇମ୍ରାନ୍ କହିଛନ୍ତି, ସାରା ଦୁନିଆ ଏବେ କରୋନା ଉପରେ ନଜର ରଖିଛି। ଏହାର ଫାଇଦା ନେଇ ଭାରତ ଏବେ ଜମ୍ମୁ କଶ୍ନୀର ରି-ଅର୍ଗାନାଇଜେସନ ବିଜ୍ଞପ୍ତି ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୭ରେ କେନ୍ଦ୍ର ସରକାର ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଇମ୍ରାନ୍ ସରକାର ଭାରତ ବିରୋଧରେ ଅନେକ ମଞ୍ଚରେ ଅଭିଯୋଗ କରିଛନ୍ତି। ହେଲେ ଏହା ଖାରଜ ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ଇମ୍ରାନ୍ କହିଥିଲେ ଭାରତର ପଦକ୍ଷେପ ବିରୋଧରେ ଲଢ଼େଇ କରି ସେ ନିରାଶ ହୋଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































