ଲକଡାଉନ୍ ସମୟରେ ଆମ୍ବୁଲାନସରେ ଯାତ୍ରୀବୁହା; ଡ୍ରାଇଭର ଅଟକ, ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍
ରାୟଗଡ଼ା: ରୋଗୀ ନୁହଁ, ଭଲ ଲୋକ ଯାଉଥିଲେ ଆମ୍ବୁଲାନସରେ। କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକଡାଉନ୍ ସମୟରେ ଯାତ୍ରୀ ଓ ଆମ୍ବୁଲାନସ୍ ଡ୍ରାଇଭରଙ୍କ ଏପରି କାରନାମାର ପର୍ଦାଫାଶ କରିଛି ରାୟଗଡ଼ା ଟାଉନ୍ ଥାନା ପୁଲିସ୍। ଆମ୍ବୁଲାନସକୁ ପୁଲିସ୍ ଜବତ କରିବା ସହ ଡ୍ରାଇଭର ଲକ୍ଷ୍ମୀନାରାୟଣ ସେନାପତିଙ୍କୁ ଅଟକ ରଖିଛି। ଆମ୍ବୁଲାନସରେ ଯାତ୍ରା କରୁଥିବା ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍ ଜାରି କରିବା ପରେ ଛାଡ଼ି ଦେଇଛି।
ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆମ୍ବୁଲାନସ୍ ନଂ-ଓଆର୦୨କ୍ୟୁ-୫୭୮୭ ଗତକାଲି ଜଣେ ମୃତକଙ୍କୁ ଛାଡ଼ିବା ପାଇଁ ଭବାନୀପାଟଣା ଯାଇଥିଲା। ଆଜି ସକାଳେ ଆମ୍ବୁଲାନସ୍ ଭବାନୀପାଟଣାରୁ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଛକ ନିକଟରେ କୋରାପୁଟ ଜିଲ୍ଲା ଦାମନଯୋଡ଼ି ଅଞ୍ଚଳର ଗଙ୍ଗାଧର ସାହୁଙ୍କ ପରିବାର ଆମ୍ବୁଲାନସକୁ ଅଟକାଇଥିଲେ। ଡ୍ରାଇଭର ଲକ୍ଷ୍ମୀ ନାରାୟଣ ଗାଡ଼ି ଅଟକାଇବା ପରେ ଗଙ୍ଗାଧର ଦାମନଯୋଡ଼ିରେ ଛାଡ଼ି ଦେବାକୁ ନିବେଦନ କରିଥିଲେ। ଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାରୁ ସପରିବାର ନ ଖାଇ ପିଇ ଅପେକ୍ଷା କରିଥିବା କହିବା ପରେ ଡ୍ରାଇଭର ରାଜି ହୋଇଥିଲେ। ଫଳରେ ଆମ୍ବୁଲାନସରେ ଗଙ୍ଗାଧରଙ୍କ ସମେତ ପ୍ରତିମା ସାହୁ, ଆକାଶ ସାହୁ, ଜସ୍ମିନ୍ ସାହୁ, ଜ୍ୟୋର୍ତିମୟୀ ସାହୁ, ପୂର୍ଣ୍ଣବାସୀ ସାହୁ, ତୋଫାନ୍ ନାୟକ ବସି ତୁମୁଡ଼ିବନ୍ଧରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲେ।
ରାୟଗଡ଼ା ନିକଟସ୍ଥ ଖଲିଗୁଡ଼ା ନିକଟରେ ଟାଉନ୍ ଥାନା ପୁଲିସ୍ ଯାଞ୍ଚ କରୁଥିବା ସମୟରେ ଆମ୍ବୁଲାନସକୁ ଅଟକାଇଥିଲେ। ଆମ୍ବୁଲାନସରେ ଯାତ୍ରୀ ବସିଥିବା ଦେଖି ପୁଲିସ୍ ଡ୍ରାଇଭର ଲକ୍ଷ୍ମୀନାରାୟଣଙ୍କୁ ପଚରା ଉଚରା କରିଥିଲେ। ରୋଗୀଙ୍କୁ ଛାଡ଼ିବା ପାଇଁ ଦାମନଯୋଡ଼ି ଯାଉଥିବା ଡ୍ରାଇଭର କହିବା ପରେ ପୁଲିସ୍ କାଗଜପତ୍ର ଯାଞ୍ଚ କରିଥିଲେ। କୌଣସି କାଗଜପତ୍ର ଡ୍ରାଇଭର ନ ଦେଖାଇବା ପରେ ପୁଲିସ୍ ସନ୍ଦେହ କରି ଆମ୍ବୁଲାନସକୁ ଥାନାକୁ ନେଇ ଯାତ୍ରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ରୋଗୀଙ୍କ ନାଁରେ ସମସ୍ତ ଯାତ୍ରୀ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଜଣା ପଡ଼ିଥିଲା।
ଭବିଷ୍ୟତରେ ଏଭଳି ଭୁଲ୍ ଆଉ ନ କରିବା ପାଇଁ ପୁଲିସ୍ ଅଟକ ରଖିଥିବା ସମସ୍ତ ଯାତ୍ରୀଙ୍କୁ ନୋଟିସ୍ ଜାରି କରିବା ପରେ ଅପରାହଣରେ ଛାଡ଼ି ଦେଇଛି। ଘଟଣାର ତଦନ୍ତ ଚାଲିଥିବାରୁ ଡ୍ରାଇଭର ଲକ୍ଷ୍ମୀନାରାୟଣଙ୍କୁ ପୁଲିସ୍ ଅଟକ ରଖିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ରିଗାନ୍ କିଣ୍ଡୋ ସୂଚନା ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































