କୋଭିଡ୍ ପାସ ଲଗାଇ କଫ୍ସିରଫ୍ ଚୋରା ଚାଲାଣ ; ୩ଅଟକ
ବଲାଙ୍ଗୀର: ତାଲା ବନ୍ଦ ବେଆଇନ୍ ନିଶା କାରବାର ଚଳାଇଥିବା ଲୋକଙ୍କ ରାସ୍ତାରେ ସମସ୍ୟା ହୋଇଛି। କିନ୍ତୁ ଚତୁରତାର ସହ ନିଜ କାରବାର ଚଳାଇ ଆସୁଥିଲେ ମାଫିଆମାନେ। ବଲାଙ୍ଗିର ସଦର ଥାନା ପୁଲିସ କୋଭିଡ ପାସ୍ ଲାଗିଥିବା ଏକ ୪୦୭କୁ ଯାଞ୍ଚ କଲା ବେଳେ ସେଥିରେ ବେଆଇନ ଭାବେ ଚଲାଣ ହେଉଥିବା ୭ ପେଟି କଫ୍ସିରଫ୍ ଜବତ କରିଛି।
ସୂଚନା ଅନୁଯାୟୀ, ମହାମାରୀ କରୋନା ପାଇଁ ତାଲା ବନ୍ଦ କରାଯାଇଛି। ସାମଗ୍ରୀ ପରିବହନ ପାଇଁ ମିଳିଥିବା ସୁଯୋଗ ନେଇଛନ୍ତି ଅସାଧୁ କଫ୍ସିରଫ ବେପାରୀ। କୋଭିଡ ପାଇଁ ଖାଦ୍ୟ ସାମଗ୍ରୀ ପରିବହନ ପାଇଁ ଅନୁମତି ପାଇଥିବା (ସିଜି ୦୪ଜେଡି ୪୪୯୮) ନମ୍ବର ୪୦୭ ଗାଡିରେ ଚାଲାଣ ହେଉଥିଲା କଫ୍ସିରଫ। ବଲାଙ୍ଗିର-ପାଟଣାଗଡ ଯିବା ରାସ୍ତାର ଖୁଣ୍ଟପାଲି ଛକରେ ରବିବାର ଅପରାହ୍ନାରେ ସଦର ଥାନା ପୁଲିସ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ କୋଭିଡ ପାସ୍ ଲାଗିଥିବା ୪୦୭ ଗାଡିଟି ପହଞ୍ଚିଥିଲା। ଗାଡି ଯାଞ୍ଚ କଲା ବେଳେ ସେଥିରେ କଫ୍ସିରଫ ଥିବା ଜଣାପଡିଥିଲା। ଏହାପରେ ଗାଡିକୁ ଜବତ କରିଥିଲା ପୁଲିସ। ଏହି ଗାଡିରେ ଥିବା କଫ୍ସିରଫ ଚାଲାଣକାରୀ ଲରମ୍ଭା ଥାନା ଘସିଏନର ଅଏଁଲାତୁଙ୍ଗା ଗାଁର ପିତବାସ ସାହୁ, ଗାଡି ଚାଳକ ଲରମ୍ଭା ଲୁହାସିଂହାର ବିଶିକେଶନ ପୁଟେଲ ଓ ସହଯୋଗୀ ବିମଳ ପୋଢକୁ ସଦର ଥାନା ପୁଲିସ ଅଟକ ରଖିଛି। ଏନେଇ ଥାନାରେ ୧୩୬ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ତିନି ଅଟକଙ୍କୁ ପୁଲିସ ପଚରା ଉଚୁରା ଚଳାଇଛି। ତଥ୍ୟ ଅନୁସାରେ, ନୟାଗଡରୁ ଏହି କଫସିରଫ ଅଣାଯାଉଥିବା ବେଳେ ପିତବାସ ଏହାକୁ ଅଏଁଲାତୁଙ୍ଗା ନେଉଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































