ଭୋକର ଜ୍ୱାଳା ଆଗରେ ଲକଡାଉନ୍ କଟକଣା ତୁଚ୍ଛ, ବାଇକରେ ସେମିଳିଗୁଡାରୁ କଲକାତା ଯାତ୍ରା
୩୦ ଫେରିବାଲା ଅଟକ, କ୍ବାରାଣ୍ଟାଇନରେ ରଖିଲା ରାୟଗଡ଼ା ପ୍ରଶାସନ
ରାୟଗଡ଼ା: ପରିବାରବର୍ଗ ବହୁ କଷ୍ଟରେ ଅଛନ୍ତି। ପାଖରେ ଚଳିବାକୁ ଟଙ୍କା, ପଇସା ନାହିଁ। ପିଲାଛୁଆ ଓଳିଏ ଖାଇଲେ, ଓଳିଏ ଖାଉ ନାହାନ୍ତି। ଫୋନରେ ବାପା, ମା’ଙ୍କ କୋହଭରା କଥା ଶୁଣି ଆଉ ଧର୍ଯ୍ୟ ଧରିପାରୁନୁ। ଲକଡାଉନ୍ ଅବଧି ବି ବଢ଼ିଲାଣି। କେତେ ଆଉ ଦିନ ଆଉ ରହିବୁ। ଆମକୁ ଯିବାକୁ ଦିଅନ୍ତୁ…।ଭୋକର ଜ୍ବାଳା ଓ ପରିବାର ଲୋକଙ୍କ ମୋହ ଆଗରେ ଲକଡାଉନ୍ କଟକଣା ଏପରି ଭାବେ ତୁଚ୍ଛ ପାଲଟିଛି ଫେରିବାଲାଙ୍କ ପାଇଁ। ସୁଦୂର ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଆସିଥିବା ଫେରିବାଲା କୋରାପୁଟ, ରାୟଗଡ଼ାରେ ଫସି ରହିଥିବା ବେଳେ ଆଜି ନିଜ ଘର ଅଭିମୁଖେ ବାହାରିଥିଲେ। କିନ୍ତୁ ରାୟଗଡ଼ା ପୁଲିସ୍, ପ୍ରଶାସନ ସମସ୍ତ ଫେରିବାଲାଙ୍କୁ ଅଟକ ରଖିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରାଣ୍ଟାଇନରେ ରଖିଛି। ୧୪ ଦିନର କ୍ବାରାଣ୍ଟାଇନ୍ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ।ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲ୍ଲାର ଡମକାଲ୍, ରାଣୀନଗର, ଜଲାଙ୍ଗି, ଇସଲାମପୁର ଅଞ୍ଚଳର ୩୦ ଫେରିବାଲା ଦୀର୍ଘ ଦିନ ହେଲା କୋରାପୁଟ, ରାୟଗଡ଼ା ଜିଲ୍ଲାରେ ଫେରିବାଲା ଭାବେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। ଅଟକ ଥିବା ୩୦ ଜଣଙ୍କ ମଧ୍ୟରେ ୨୫ରୁ ୫୩ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତି ଥିବା ବେଳେ କୋରାପୁଟ ଜିଲ୍ଲାର ସେମିଳିଗୁଡା, ଲକ୍ଷ୍ମୀପୁର, ଦାମନଯୋଡ଼ି, ସୁନାବେଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଜେମାଦେଇପେଣ୍ଠ, ରାୟଗଡ଼ା, ରୂପକୋଣା, କୁମ୍ଭିକୋଟା, ଜେକେପୁର, କୋଲନରା ଅଞ୍ଚଳରେ ଏମାନେ ବ୍ୟବସାୟ କରୁଥିଲେ। ଲକଡାଉନ୍ ପରେ ବ୍ୟବସାୟ ଠପ୍ ହୋଇ ପଡ଼ିଥିବାରୁ ଜୀବିକା ହରାଇ ବହୁକଷ୍ଟରେ ଦିନ କାଟୁଥିବା ରାଜୁ ମଣ୍ଡଲ, ଏସ୍. କେ. ଆଲମନଙ୍ଗିର୍, ଆର୍. ଅନସାରୀ, ମଜିତ୍ ସେକ୍, ଟି. ହୁସେନ୍, ବାରବର ଅଲ୍ଲୀ ମୌଲା, ଅସଦୁଲ୍ ଇସଲାମ୍ ପ୍ରମୁଖ କହିଛନ୍ତି। ଏହି ସମସ୍ତଙ୍କ ପରିବାର ଲୋକ ମୁର୍ସିଦାବାଦରେ ରହୁଥିବାରୁ ବିପଦ ସମୟରେ ପରିବାର ଲୋକଙ୍କ ପାଖରେ ନଥିବାରୁ ଚିନ୍ତିତ ହୋଇ ପଡ଼ିଛନ୍ତି ସମସ୍ତ ଫେରିବାଲା।ଲକଡାଉନ୍ ଦ୍ବିତୀୟ ପର୍ଯ୍ୟାୟରେ ମେ’ ୩କୁ ବୃଦ୍ଧି ପାଇବା ପରେ ମେ’ ୧୫ ସୁଦ୍ଧା ଟ୍ରେନ୍ ଚଳାଚଳ ନେଇ କୌଣସି ଆଶାନଥିବାରୁ ବାଇକରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ସମସ୍ତ ଫେରିବାଲା। ଫୋନରେ କଥାବାର୍ତ୍ତା ହୋଇ ଏକାଠି ହେବା ପରେ ସଭିଁଏ ଆଜି ସକାଳୁ ୧୫ଟି ବାଇକରେ ରାୟଗଡ଼ା ଦେଇ କଲକାତା ଅଭିମୁଖେ ବାହାରିଥିଲେ। କୋରାପୁଟ ଛକରେ ରାୟଗଡ଼ା ଟାଉନ୍ ଥାନା ପୁଲିସ୍ ସମସ୍ତଙ୍କୁ ଅଟକାଇ ଯାଞ୍ଚ କରିବା ପରେ ବାଇକରେ ସେମିଳିଗୁଡାରୁ କଲକାତା ଯାଉଥିବା ଜାଣି ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ପୁଲିସ୍, ପ୍ରଶାସନର ନିଷ୍ପତ୍ତିକ୍ରମେ ସମସ୍ତଙ୍କୁ ବସଷ୍ଟାଣ୍ଡରେ ଅଟକ ରଖାଯିବା ପରେ ସ୍ବତନ୍ତ୍ର ଗାଡ଼ିରେ ମେଡ଼ିକାଲକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଅପରାହଣରେ ସମସ୍ତଙ୍କୁ ଅଶୋକ କଲ୍ୟାଣ ମଣ୍ଡପସ୍ଥିତ କ୍ବାରାଣ୍ଟାଇନ୍ ହୋମରେ ରଖାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ିଦେବାକୁ ଫେରିବାଲା ପ୍ରଶାସନକୁ ନେହୁରା ହୋଇଥିଲେ। ପରିବାର ଲୋକ ଏବଂ ପିଲାଛୁଆ ଅସୁବିଧା ଭିତରେ ଥିବାରୁ ଯେକୌଣସି ମତେ ଘରେ ପହଞ୍ଚିବାକୁ ପଡ଼ିବ ବୋଲି କହିଥିଲେ। କରୋନା ମୁକାବିଲା ପାଇଁ ଆନ୍ତଃଜିଲ୍ଲା, ଆନ୍ତଃ ରାଜ୍ୟ ମଧ୍ୟରେ ଚଳାଚଳ ରଦ୍ଦ କରାଯାଇଥିବା ନେଇ ସମସ୍ତ ଫେରିବାଲାକୁ ପୁଲିସ୍ ବୁଝାଇଥିଲା। କ୍ବାରାଣ୍ଟାଇନରେ ଥିବା ସମସ୍ତ ଫେରିବାଲାଙ୍କ ଉପରେ ରାପିଡ୍ ରେସପନସ୍ ଟିମ୍ ନଜର ରଖିଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































