ଘରେ ସ୍ଥାନ ନଥିବାରୁ ସୁରତରୁ ଫେରିଥିବା ଶ୍ରମିକ ନିମ୍ବ ଗଛରେ ମଞ୍ଚା ବାନ୍ଧି ସଙ୍ଗରୋଧରେ ରହିଲେ
ଜୟପୁର: କରୋନା ଭାଇରସ୍ର ବୃଦ୍ଧି ପାଉଥିବା ସଂକ୍ରମଣକୁ ହ୍ରାସ କରିବା ପାଇଁ ଦେଶରେ ମଇ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରାଯାଇଛି। ଏହି ଲାକ୍ଡାଉନ୍ ଘୋଷଣା ହେବା ପରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ନିଜନିଜ ଘରକୁ ଫେରିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଶ୍ରମିକଙ୍କ ଏଭଳି ଅବସ୍ଥା ଦେଖି ବିଭିନ୍ନ ରାଜ୍ୟର ସରକାର ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍ର ସୁବିଧା କରୁଛନ୍ତି।ସେହିପରି ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ କରୋନାକୁ ଗମ୍ଭୀରତା ସହ ନେଇ ସଙ୍ଗରୋଧ କେନ୍ଦ୍ରରେ ରହିବାର ନିୟମକୁ ଯଥାସମ୍ଭବ ପାଳନ କରୁଛନ୍ତି। ଏହି କ୍ରମରେ ଉଦୟପୁର ଜିଲ୍ଲାର ଭିଣ୍ଡରଠାରୁ ପାଖାପାଖି ତିନି କିମି ଦୂରରେ ଥିବା ଡାବାକିୟା ଗ୍ରାମରେ ବସବାସ କରୁଥିବା ଜଣେ ଶ୍ରମିକ ସଙ୍ଗରୋଧ ନିୟମକୁ ପାଳନ କରିବାକୁ ଯାଇ ନିମ୍ବ ଗଛରେ ଆଶ୍ରୟ ନେଇଛନ୍ତି।ଡାବାକିୟା ଗ୍ରାମରେ ବସବାସ କରୁଥିବା ଭମରୁ ଭାଓ୍ଵତଙ୍କ ତିନିଜଣ ପୁଅ ରାଜ୍ୟ ବାହାରେ କାମ କରନ୍ତି। ପପୁ ରାଓ୍ଵତ ମୁମ୍ବାଇ ଓ ତାଙ୍କର ଦୁଇ ଭାଇ ଇଶ୍ୱର ରାଓ୍ଵତ ଓ ଜିତେନ୍ଦ୍ର ରାଓ୍ଵତ ସୁରତରେ ଶ୍ରମିକ ଭାବେ କାମ କରୁଥିଲେ। କରୋନା ସଂକ୍ରମଣକୁ ଦେଖି ଈଶ୍ୱର ଓ ଜିତେନ୍ଦ୍ର ମେ ୨ରେ ଓ ପପୁ ମେ ୪ ତାରିଖରେ ସକାଳୁସକାଳୁ ଘରକୁ ଫେରି ଆସିଥିଲେ।ଏହି ପ୍ରବାସୀ ଶ୍ରମିକ ଘରେ ପହଞ୍ଚିବାର ଖବର ପାଇ ପ୍ରଶାସନ ପକ୍ଷରୁ ସର୍ଭେ ପାଇଁ ଘଟଣାସ୍ଥଳରେ ଆସି ଡାକ୍ତରୀଦଳ ପହଞ୍ଚି ଯାଇଥିଲେ ଏବଂ ତିନିଜଣ ଭାଇଙ୍କୁ ସଙ୍ଗରୋଧ ହୋଇ ରହିବାର ନିର୍ଦ୍ଦେଶ ଦେଇଥିଲେ। ତେବେ ସେମାନଙ୍କ ଘରେ କେବଳ ଦୁଇଟି ବଖରା ଥିଲା। ଗୋଟିଏ ବଖରାରେ ତିନି ଭାଇଙ୍କ ପରିବାର ରହୁଥିବା ବେଳେ ଆଉ ଗୋଟିଏ ବଖରାରେ ପପୁ ରହିବାକୁ ସ୍ଥିର କରିଥିଲେ। ସେହିପରି ଈଶ୍ୱର ଘର ଅଗଣାରେ ରହିଥିବା ନିମ୍ବ ଗଛରେ ମଞ୍ଚା ତିଆରି କରି ସଙ୍ଗରୋଧ ହୋଇ ରହିବାକୁ ନିର୍ଣ୍ଣୟ କରିଥିଲେ। ତୃତୀୟ ଭାଇ ଜଣକ ଘର ଅଗଣାର ଗୋଟିଏ କୋଣରେ ସମସ୍ତଙ୍କଠାରୁ ଅଲଗା ହୋଇ ବିଛଣା ପାରି ରହୁଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































