୨ ଡ୍ରାଇଭରଙ୍କ ମୃତ୍ୟୁ, ଜଣେ ଗୁରୁତର, ମଦ ବଦଳରେ ସ୍ପିରିଟ ପିଇଥିବା ସନ୍ଦେହ ।
ଢେଙ୍କାନାଳ: ୨ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସହର ଉପକଣ୍ଠ ଶକ୍ତି ସୁଗାର୍ସ ମିଲ୍ ପରିସରରେ ଥିବା ପାର୍କିଂ ସ୍ଥାନରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ବିହାରର ଓ ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ।ସୂଚନା ଅନୁସାରେ, ଲକ୍ଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଜଣ ଶକ୍ତି ସୁଗାର୍ସ ମିଲ୍ ଆସିଥିଲେ। ମାଲ୍ ନେଇ ନ ଥିବାରୁ ଏମାନେ ଏଠାରେ ରହି ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ୩ଜଣ ଯାକ ଛଟପଟ ହେଉଥିବାର ଅନ୍ୟ ଟ୍ୟାଙ୍କର ଡ୍ରାଇଭରମାନେ ଦେଖିଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।କେଉଁ କାରଣ ପାଇଁ ଏମାନଙ୍କର ମୃତ୍ୟୁ ହୋଇଛି ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































