ରଥଯାତ୍ରା ଉପରେ କରୋନାର କଳା ବାଦଲ, କାଳିଆର ଚମତ୍କାରକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା
ଭୁବନେଶ୍ଵର: ଓଡ଼ିଶାରେ କରୋନା ବିପର୍ଯ୍ୟୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ୨୦୦ କାରିଗର ଲାଗିଛନ୍ତି। ସେପଟେ ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇ ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ କହିଛନ୍ତି।

ରଥ କାମରେ ନିୟୋଜିତ ୨୦୦ କାରିଗରଙ୍କୁ ୪୫ ଦିନିଆ କ୍ବାରେଣ୍ଟାଇନରେ ରଖାଯାଇଛି। କାରିଗରମାନଙ୍କ ଲାଗି ହୋଟେଲରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। କାରିଗରମାନେ ରଥ ନିର୍ମାଣ ସ୍ଥାନରେ କାର୍ଯ୍ୟ କରିବେ ଏବଂ ସିଧା ହୋଟେଲକୁ ଫେରିବେ। ନିର୍ମାଣସ୍ଥଳଠାରୁ ୧୦୦ ମିଟର ବ୍ୟାସାର୍ଦ୍ଧରେ ପ୍ରବେଶକୁ ବାରଣ କରାଯାଇଛି। ପୁରୀରେ ତିନି ଜଣ କରୋନା ପଜିଟିଭ୍ ମିଳିଥିବାରୁ ଏହି ଜିଲାକୁ ଅରେଞ୍ଜ ଜୋନ୍ରେ ସାମିଲ କରାଯାଇଛି। ସମୁଦ୍ରକୂଳ ନିକଟବର୍ତ୍ତୀ ଅଞ୍ଚଳ ରେଣୁକା ଲେନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଅନ୍ୟପଟେ ରଥଯାତ୍ରା ଆୟୋଜନ ସମ୍ପର୍କରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି। ଜୁନ୍ ୨୩ରୁ ହେବାକୁ ଥିବା ରଥଯାତ୍ରାର ପ୍ରାରମ୍ଭିକ ରୀତିନୀତି ବାଧାପ୍ରାପ୍ତ ହୋଇଛି। ଉଦାହରଣ ସ୍ୱରୂପ, ଏପ୍ରିଲ ୨୬ରୁ ଅକ୍ଷୟ ତୃତୀୟା ରଥ ଅନୁକୂଳ ହୋଇଥିଲେ ହେଁ ରଥ ନିର୍ମାଣ କାମ ୧୨ ଦିନ ବିଳମ୍ବରେ ଆରମ୍ଭ ହେଲା। ତେଣୁ ଠିକ୍ ସମୟରେ ରଥ କାମ ଶେଷ କରିବାକୁ ପ୍ରଶାସନ ଜୋରସୋର ଉଦ୍ୟମ ଚଳାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଚନ୍ଦନଯାତ୍ରା କରିପାରିଲେ ନାହିଁ।

ଆଗକୁ ଥିବା ପରମ୍ପରା ଚାଲିବ କି ନାହିଁ ତାହାକୁ ନେଇ ବି ଦ୍ବନ୍ଦ୍ବ ଉପୁଜିଛି। ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ କିଛି ପରମ୍ପରା ସମ୍ପନ୍ନ କରିବାକୁ ଯୋଜନା ରହିଛି। ୧୭୩୬ରୁ ବଡ଼ଦାଣ୍ଡରେ ରଥଯାତ୍ରା ହୋଇଆସୁଛି। ବୋଧହୁଏ ଏହା ପ୍ରଥମ ଥର ହେବ ଯେ ମହାପ୍ରଭୁଙ୍କ ରଥ ଚକକୁ କରୋନା ଭୂତାଣୁ ଅଟକାଇବାକୁ ସଂଘର୍ଷ କରୁଛି। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି।ଉଲ୍ଲେଖ ଯେ, ପୂର୍ବରୁ ବଡ଼ଦାଣ୍ଡରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏହାକୁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଥିଲେ। ଦିନକ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇ ବଡ଼ଦାଣ୍ଡରେ ରଥ ନିର୍ମାଣ ହୋଇପାରିବ ବୋଲି କୁହାଯାଇଥିଲା। ଏହି ସମୟ ମଧ୍ୟରେ ଅକ୍ଷୟ ତୃତୀୟା ପୂର୍ବରୁ ନୟାଗଡ଼ ଏବଂ ବୌଦ୍ଧ ଜିଲାର ଜଙ୍ଗଲରୁ ନିମ୍ବ କାଠ ଅଣାଯାଇଥିଲା। ଯଦିଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ମନ୍ଦିର ପରିଚାଳନା ସହିତ ଜଡିତ ସଦସ୍ୟଙ୍କ କହିବା ଅନୁଯାୟୀ, ଯଦି କୋଭିଡ-୧୯ର ପରିସ୍ଥିତି ସମାନ ରହେ ତେବେ କେବଳ ଏକ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜିତ ହୋଇପାରିବ। ଧାର୍ମିକ ପରମ୍ପରା ପାଳନ କରିବା ଲାଗି ପ୍ରତିକାତ୍ମକ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇପାରେ। ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କୁହନ୍ତି, ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ସେତେବେଳର ପରିସ୍ଥିତି ଉପରେ ରଥଯାତ୍ରା ଆୟୋଜନ ନିର୍ଭର କରିବ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଦେଖି ରଥ ନିର୍ମାଣକାରୀ କାରିଗରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ, ରଥ ନିର୍ମାଣ କାର୍ଯ୍ୟରେ ବହୁତ ବିଳମ୍ବ କରାଯାଇଛି ଏବଂ ଏହାର ଶୁଭ ତିଥି ଚାଲିଯାଇଛି।ଗତ ୧୫ ବର୍ଷ ଧରି ରଥଯାତ୍ରା ପାଇଁ ଓଡ଼ିଆ ଦୁରଦର୍ଶନ ପାଇଁ ଲାଇଭ୍ କମେଣ୍ଟ୍ରି କରୁଥିବା ମହିଳା କମିଶନର ପୂର୍ବତନ ସଦସ୍ୟା ନମ୍ରତା ଚଢ଼ା କୁହନ୍ତି, ମହାପ୍ରଭୁଙ୍କ କୌଣସି ପ୍ରକାର ଚମତ୍କାର ହିଁ ଭବ୍ୟ ରଥଯାତ୍ରାର ଆୟୋଜନରେ ସହଯୋଗ କରିପାରିବ। ଶ୍ରଦ୍ଧାଳୁମାନେ ଏହି ଚମତ୍କାରକୁ ଅପେକ୍ଷା କରିଛନ୍ତି। ରାଜ୍ୟର ପ୍ରତ୍ୟେକ ପରିବାର ଭଗବାନ ଜଗନ୍ନାଥଙ୍କୁ ନିଜ ପରିବାର ସଦସ୍ୟ ଭଳି ମାନନ୍ତି। ଖାସ୍ ଏଇଥିପାଇଁ ତାଙ୍କ ରୀତିନୀତି ଲାଗି ୩୬ ନିଯୋଗରେ ଭିନ୍ନ ଭିନ୍ନ ସେବାୟତ ନିୟୋଜିତ ଅଛନ୍ତି। ଆଉ କିଛି ଲୋକ କୁହନ୍ତି ଯେ, କରୋନାରେ ଆମ ମହାପ୍ରଭୁ ବାହାରକୁ କାହିଁକି ବାହାରିବେ। ରଥଯାତ୍ରାର ପରମ୍ପରା ପ୍ରତିକାତ୍ମକ ଭାବେ ଶ୍ରୀମନ୍ଦିର ପରିସରରେ ସମ୍ପନ୍ନ ହୋଇପାରିବ। ଦଇତାପତି ସେବକ ବିନାୟକ ଦାସମହାପାତ୍ର କୁହନ୍ତି, ସରକାର ରଥଯାତ୍ରାକୁ ନେଇ ଡ୍ରାମାବାଜି କରୁଛନ୍ତି। ରାଜ୍ୟ ସରକାର ହାତ ଟେକିଦେଇ କେନ୍ଦ୍ରକୁ ଚିଠି ଲେଖି ଅନୁମତି ମାଗିଲେ। ପରେ କେନ୍ଦ୍ରରୁ ଉତ୍ତର ମିଳିଲା। ଏଥିରେ ୩ ଦିନ ଚାଲିଗଲା। ରଥ ନିର୍ମାରେ ବିଳମ୍ବ ହେଲା। ଭକ୍ତଙ୍କ ବିନା ଉପସ୍ଥିତିରେ ରଥଯାତ୍ରା କରାଯାଇ ପାରିବ। ସମସ୍ତ ସେବାୟତ ଏହା ଚାହୁଁଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































