ରାଜ୍ୟ ସରକାର ଅନୁମତି ଦେଲେ ପୁରୀରେ କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ : ଗଜପତି
ପୁରୀ: କଟକଣାର ସହିତ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉ। ଭକ୍ତଙ୍କ ବିନା ଆଗମନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ। ଭକ୍ତମାନେ ଘରେ ରହି ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ରଥଯାତ୍ରା ବିଧି ଅନୁସାରେ ଅନୁଷ୍ଠିତ ହେଉ ଏବଂ କୋଭିଡ୍-୧୯ ଗାଇଡଲାଇନ୍ ପାଳନ ହେଉ। ବଡ଼ଦାଣ୍ଡରେ ଭକ୍ତଙ୍କ ବିନା ସମାଗମରେ କେବଳ ସେବାୟତ ଓ ସଂପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା ସମ୍ଭବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ରଥଯାତ୍ରା କଟକଣାର ସହିତ ଅନୁଷ୍ଠିତ ହେଉ ବୋଲି ପ୍ରସ୍ତାବ ଦିଆଯାଇଛି। ଶନିବାର ଭୁବନେଶ୍ବର ଓ ପୁରୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଶ୍ରୀମନ୍ଦିର ପରିଚାଳନ କମିଟି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ପୁରୀରେ କଟକଣା ସହିତ ସମସ୍ତ ବିଧି ଅନୁସାରେ ରଥଯାତ୍ରା ହେବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମତି ଦେଲେ ପୁରୀରେ ରଥଯାତ୍ରା ହେବ। ସୀମିତ ସେବକ, ପ୍ରଶାସନିକ ଅଧିକାରୀ ଓ ପୁଲିସଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ। ରଥଯାତ୍ରା ସମୟରେ ବଡଦାଣ୍ଡକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ରହିବ, କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ ବୋଲି ବି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଗଜପତି ମହାରାଜ କହିଛନ୍ତି।ଏଥିସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜ ସୂଚନା ଦେଇ କହିଛନ୍ତି, ଚଳିତ ଥର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଘରେ ବସି ଗଣମାଧ୍ୟମ ଜରିଆରେ ଦେଖିବେ। ଏଥିରେ ସୀମିତ ସେବକ ଓ କିିଛି ପ୍ରଶାସନିକ ଅଧିକାରୀ ନିୟୋଜିତ ହେବେ। ସେବକମାନେ ସ୍ନାନଯାତ୍ରା ସମୟରେ ଯାଥାସମ୍ଭବ କୋଭିଡ-୧୯ ଗାଇଡଲାଇନ୍କୁ ମାନିବେ। ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣର ବ୍ୟବସ୍ଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କରାଯାଉ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି ଚିଠି ଲେଖି ଅନୁରୋଧ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































