ଅକଳରେ ପଡ଼ି ଔଷଧୀୟ ସାମଗ୍ରୀ ଗ୍ରହଣ କଲା ଔଷଧ ନିଗମ : ପିପିଇ କିଟ୍ ନେଲେ, ମାସ୍କ ଓ ସାନିଟାଇଜରକୁ ନା
ଭୁବନେଶ୍ବର : ରାଜ୍ୟ ବାହାରୁ ଔଷଧୀୟ ସାମଗ୍ରୀ ମଗାଇ ଅକଳରେ ପଡ଼ିଥିବା ରାଜ୍ୟ ଔଷଧ ନିଗମ ଆଜି ପିପିଇ କିଟ୍କୁ ଡେଲିଭରି ନେବା ପାଇଁ ରାଜି ହୋଇଛି। ତେବେ ମାସ୍କ ଓ ସାନିଟାଇଜରକୁ ମନା କରି ଦେଇଛି। ଫଳରେ ଯେଉଁସବୁ ଟ୍ରକ୍ ଗୁଡ଼ିକ ମାସ୍କ ଓ ସାନିଟାଇଜର ଆଣିଥିଲେ ସେମାନେ ନିଜ ରାଜ୍ୟକୁ ଫେରିଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମର ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା। ଏଥିରେ ପିପିଇ କିଟ୍ ପାଇଁ ଯେଉଁ କ୍ରୟାଦେଶ ଦିଆଯାଇଥିଲା ତାହାର ଶେଷ ତାରିଖ ଗତମାସ ୩୧ତାରିଖ ରହିଥିବାରୁ ପିପିଇ କିଟ୍ ଆଣିଥିବା କମ୍ପାନିଙ୍କ ଡେଲିଭରିକୁ ଗ୍ରହଣ କରାଯାଇଛି। ତେବେ କେତୋଟି ଟ୍ରକ୍ରେ ପିପିଇ କିଟ୍ ରହିଛି ଓ ଏହାର ପରିଣାମ କେତେ ରହିଛି ତାହା ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଅପରପକ୍ଷରେ ଅନେକ ଟ୍ରକ୍ରେ ମାସ୍କ ଓ ସାନିଟାଇଜର ରହିଥିଲେ ହେଁ ସେସବୁକୁ ଗ୍ରହଣ ନ କରିବା ପାଇଁ ନିଗମ ନିଷ୍ପତ୍ତି ନେଇଛି। ଏହାର ଡେଲିଭରି ତାରିଖ ୨୦ତାରିଖ ରହିଥିବାରୁ ଏହାର ପରେ ଯେଉଁ ଗାଡ଼ି ଆସିଛି ସେସବୁରୁ କୌଣସି ଡେଲିଭରି ନିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି, ଗତମାସ ୩୧ ତାରିଖ ଭିତରେ ପିପିଇ କିଟ୍ ଡେଲିଭରି ଦେବାର ସମୟ ରହିଥିବାରୁ ସେସବୁର ଡେଲିଭରି ରଖାଯିବ ବୋଲି ସ୍ଥିର ହୋଇଛି। ଏବେ ଟ୍ରକ୍ରୁ ଅନଲୋଡିଂ ଜାରି ରହିଥିବାରୁ କେତେ ପରିମାଣର ପିପିଇ କିଟ୍ ରହିଛି ତାହା ପରବର୍ତୀ ସମୟରେ ସ୍ପଷ୍ଟ ହୋଇପାରିବ। ଅପରପକ୍ଷରେ ମାସ୍କ ଓ ସାନିଟାଇଜର ପାଇଁ କମ୍ପାନିଗୁଡ଼ିକୁ ଯଥେଷ୍ଟ ସମୟ ଦିଆଯାଇଥିଲା। ଗତମାସ ୨୦ତାରିଖ ସୁଦ୍ଧା ସେମାନଙ୍କୁ ଡେଲିଭରି ଦେବା ଲାଗି କୁହାଯାଇଥିଲା। ଯେହେତୁ ସଂପୃକ୍ତ କମ୍ପାନିମାନେ ଏହାର ପରବର୍ତୀ ସମୟରେ ଜିନିଷ ଆଣିଛନ୍ତି ତେଣୁ ଏହାକୁ ଗ୍ରହଣ କରାଯାଇ ନ ଥିବା ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































