କୋଭିଡ୍ ପରିଚାଳନା ଦାୟିତ୍ୱରୁ ହଟିଲେ ୯ ଆଇଏଏସ୍
ଭୁବନେଶ୍ୱର(ଉଲାପ୍ର): ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ହଟାଇ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ ଗଠିତ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଗତ ୧ ତାରିଖରେ ହଟାଯିବା ପରେ ଆଜି ଅନ୍ୟ ୯ଜଣ ଆଇଏଏସଙ୍କୁ ମଧ୍ୟ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ନୋଡାଲ ଅଫିସର ଥିବା ସୁରେନ୍ଦ୍ର କୁମାରଙ୍କୁ ଆଜି ଦାୟିତ୍ୱମୁକ୍ତ କରାଯାଇଛି। ସେହିପରି କୋଭିଡ-୧୯ ସଂକ୍ରାନ୍ତ ପ୍ରଶିକ୍ଷଣ ଓ ଆଇଇସି ଗତିବିଧି ଦାୟିତ୍ୱରୁ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡି ଦାୟିତ୍ୱରୁ ଆର ଭିନିଲକ୍ରିଷ୍ଣା, ମୁଖ୍ୟ ସଚିବଙ୍କ ଓଏସଡି ଓ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରୁ ବିଶାଳ କୁମାର ଦେବ, କୋଭିଡ-୧୯ ନିମନ୍ତେ ୧୦୪ କଲ ସେଣ୍ଟରରେ ପଞ୍ଜିକରଣ ଦାୟିତ୍ୱରୁ ଡଃ କ୍ରିଷ୍ଣନ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ସହାୟତା ଦାୟିତ୍ୱରୁ ଅରବିନ୍ଦ ଅଗ୍ରୱାଲ ଓ ଭୂପିନ୍ଦର ସିଂ ପୁନିଆ, ମୁଖ୍ୟ ସଚିବଙ୍କ ଓଏସଡି ସଚିନ ରାମଚନ୍ଦ୍ର ଯାଦବ ଓ ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ସଚିବଙ୍କୁ ସହାୟତା ଦାୟିତ୍ୱରୁ ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ରାଜ୍ୟ ସରକାର ଆଜି ପ୍ରତ୍ୟାହାର କରିନେଇଛନ୍ତି।ତେବେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ରହିଥିବାବେଳେ ଏହି ଆଇଏଏସ ଅଫିସରମାନଙ୍କୁ କାହିଁକି ଦାୟିତ୍ୱମୁକ୍ତ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଆଇଏଏସ ହେମନ୍ତ ଶର୍ମାଙ୍କୁ ସୁରକ୍ଷା ଦେବାକୁ ଏହି ଅଫିସରମାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































