ବାଲ୍ୟ ବିବାହ ବେଳେ ଉଦ୍ଧାର ହେଲେ ୧୬ବର୍ଷୀୟ ନାବାଳିକା, ବର ଥାନାରେ ଅଟକ
ରାଉରକେଲା: ସରକାର ବାଲ୍ୟ ବିବାହ ରୋକିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ଏହା ଅପରାଧ ହୋଇଥିବାରୁ ଦଣ୍ଡବିଧାନର ମଧ୍ୟ ଏଥିପାଇଁ ବ୍ୟବସ୍ଥା ରହିଛି। ମାତ୍ର ଲୋକଙ୍କ ମଧ୍ୟରେ ଏହା କେତେଦୂର କାର୍ଯ୍ୟକ୍ଷମ ହୋଇଛି, ତାର ବାସ୍ତବ ଚିତ୍ର ରାଉରକେଲା ନୂଆଗାଁ ବ୍ଲକର ପତ୍ରାପଲ୍ଲୀ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନାବାଳିକାଙ୍କ ବିବାହ ଖବର ପାଇ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ରୋକିବାରେ ସାମର୍ଥ୍ୟ ହୋଇଛି ।ନାବାଳିକାକୁ ଉଦ୍ଧାର କରି ବିଶ୍ରାସ୍ଥିତ ଚାଇଲଡଲାଇନରେ ରଖା ଯାଇଛି। ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସୁଦାମ ମହତୋ ଉକ୍ତ ନାବାଳିକା ସହିତ ବିବାହ ପାଇଁ ବରଯାତ୍ରୀ ନେଇ ଆଜି ଗାଁକୁ ପହଞ୍ଚିଥିଲେ । ବିବାହ ପାଇଁ କାମ ଆରମ୍ଭ ହୋଇଯାଇଥାଏ। ଏହି ସମୟରେ ଝିଅର ଷୋଳ ବୟସ ହୋଇଥିବା ଜାଣି ଗାଁ କିଛି ଲୋକ ଚାଇଲଡ ଲାଇନକୁ ଜଣାଇଥିଲେ ।ସୂଚନା ପାଇ ବିବାହ ଆରମ୍ଭ ହେବା ପୂର୍ବରୁ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ବିବାହ ବନ୍ଦ କରିଥିଲେ । ନାବାଳିକାର ବୟସ ଯାଞ୍ଚ କରିବା ପରେ ଉକ୍ତ ନାବାଳିକାର ବୟସ ୧୬ବର୍ଷ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ନାବାଳିକାକୁ ଉଦ୍ଧାର କରା ଯାଇଥିବା ଜଣାପଡିଛି । ବର ସୁଦାମକୁ ହାତିବାରୀ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରାଯାଉଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































