ଓଡ଼ିଶା ଫେରିଲେଣି ୫.୫୩ ଲକ୍ଷ ପ୍ରବାସୀ, କରୋନା ପରୀକ୍ଷା ମାତ୍ର ୨.୦୫ ଲକ୍ଷ
ଭୁବନେଶ୍ୱର(ଉଲାପ୍ର ): ଆଜିସୁଦ୍ଧା ଅନ୍ୟ ରାଜ୍ୟରୁ ମୋଟ ୫ଲକ୍ଷ ୫୩ହଜାର ୯୪୫ଜଣ ପ୍ରବାସୀ ଫେରିଛନ୍ତି। ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହୁଥିଲେ ମଧ୍ୟ ସେମାନଙ୍କର କୋଭିଡ-୧୯ ପରୀକ୍ଷା କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୨ଲକ୍ଷ ୫ହଜାର ୫୦୧ଟି ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ୪୧୬୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ମେ’ ୩ତାରିଖରୁ ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆସିବା ଆରମ୍ଭ ହୋଇଥିଲା। ମେ’ ୨ତାରିଖ ସୁଦ୍ଧା ରାଜ୍ୟରେ ମାତ୍ର ୪୦ହଜାର କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବାବେଳେ ଏବେ ଏହି ସଂଖ୍ୟା ୨.୦୫ଲକ୍ଷକୁ ବୃଦ୍ଧି ପାଇଛି । ତେବେ ମେ’ ୩ରୁ ଆଜିସୁଦ୍ଧା ଓଡ଼ିଶାକୁ ମୋଟ ୫.୫୩ଲକ୍ଷ ଲୋକ ଫେରିଥିବାବେଳେ ପ୍ରାୟ ୧.୬୫ଲକ୍ଷ କୋଭିଡ୍ ପରୀକ୍ଷା ହୋଇଛି। ଏଥିରେ ସ୍ଥାନୀୟ ଲୋକଙ୍କ ସମେତ ପ୍ରବାସୀଙ୍କ ସଂଖ୍ୟା ସାମିଲ ଅଛି। ତେଣୁ ଏହାକୁ ଦେଖିଲେ ରାଜ୍ୟରେ ଆଶାନୁରୂପ ନମୂନା ପରୀକ୍ଷା କରିବା ରାଜ୍ୟ ସରକାରଙ୍କ ପକ୍ଷେ ସମ୍ଭବପର ହୋଇନି।ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗ୍ରାମାଂଚଳରେ କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୧୬,୮୧୫ଟି ଅସ୍ଥାୟୀ ଚିକତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିରେ ମୋଟ ୭.୬୨ଲକ୍ଷ ବେଡ୍ ବ୍ୟବସ୍ଥା ହୋଇଛି। ଆଜିସୁଦ୍ଧା ରାଜ୍ୟରେ ମୋଟ ୪୧୬୩ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୯୭୪ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୭୫ଜଣ ସକ୍ରିୟ ସଂକ୍ରମିତ ରୋଗୀ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏମାନଙ୍କ ବ୍ୟତୀତ ୧୫୬୧ଜଣ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି।ସେହିପରି ରାଜ୍ୟରେ ଆଜି ଆଉ ୧୨୦ଜଣ କରୋନା ସଂକ୍ରମିତ ରୋଗୀ ସୁ୍ସ୍ଥ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୯ଜଣ, କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ଜଣ ଲେଖାଏଁ, ନୂଆପଡ଼ାରୁ ୯ଜଣ, ସୁନ୍ଦରଗଡ଼ରୁ ୭ଜଣ ଓ କନ୍ଧମାଳରୁ ୬ଜଣ ସୁସ୍ଥ ହୋଇଛନ୍ତି। ଆଜିର ୧୨୦ଜଣ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇଲେ ଏପର୍ଯ୍ୟନ୍ତ ୨୯୭୪ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।ଅନ୍ୟପକ୍ଷାରେ ରାଜ୍ୟରେ ଆଜି ଆଉ ୧୦୮ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କ୍ୱାରେଣ୍ଟାଇନ କେନ୍ଦ୍ରରୁ ୯୫ଜଣ ଓ ସ୍ଥାନୀୟ ଅଂଚଳର ଅନ୍ୟ ୧୩ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ କରି ପଶ୍ଚିମବଙ୍ଗରୁ ଫେରିଥିବା ରାଜ୍ୟର ଆଉ ୧୬ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































