ନାଁକୁ ମାତ୍ର ଚାଲିଛି ବସ୍ ; ଘରୋଇ ବସ୍ ସଂଖ୍ୟା ୧୪ହଜାର, ଗଡୁଛି ୭୦୦
ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଭିତରେ ରାଜ୍ୟରେ ପରିବହନ ସେବା ପ୍ରାୟ ଦୁଇ ମାସରୁ ଅଧିକ କାଳ ଅଚଳ ହୋଇପଡ଼ିଥିଲା। ଲକଡାଉନ କୋହଳ ହେବା ପରେ ବହୁ ବିଳମ୍ବରେ ବସ ସେବା ଆରମ୍ଭ ହୋଇଥିଲେ ହେଁ ଏବେ ରାଜ୍ୟରେ ନଁାକୁ ମାତ୍ର ଚାଲିଛି ବସ୍। କେଉଁଠି ଲୋକେ ଯିବାକୁ ଚାହୁଁଥିଲେ ବସ ନାହିଁ ତ ଆ ଉ କେଉଁଠି ବସ ଥିଲେ ଯାତ୍ରୀ ନାହାନ୍ତି। ସହରାଞ୍ଚଳରୁ ଆରମ୍ଭ କରି ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବେ ବି ଯାତ୍ରୀ ପରିବହନ ସେବା ସ୍ବାଭାବିକ ସ୍ଥିତିକୁ ଆସିନାହିଁ। ନା ଘରୋଇ ନା ସରକାରୀ କୌଣସି ବସ ସେବା ସ୍ବାଭାବିକ ହୋଇପାରୁନି। କରୋନା ପରିବହନ କ୍ଷେତ୍ର ବିଶେଷ କରି ବସ ସେବା ଉପରେ ନିର୍ଭର କରୁଥିବା ଯାତ୍ରୀ ବେଶ ହଟହଟା ହେଉଥିବାବେଳେ ଏ କ୍ଷେତ୍ରରୁ ରୋଜଗାର କରି ଚଳୁଥିବା କର୍ମଚାରୀଙ୍କ ଅବସ୍ଥା ବି ଦୁର୍ଦିନ ଭିତରକୁ ଠେଲିହୋଇଯାଇଛି। ସେମାନଙ୍କ ପାଇଁ ବିକଳ୍ପ କର୍ମସଂସ୍ଥାନ ବି ମିଳୁନାହିଁ।ରାଜ୍ୟରେ ମୋଟ ଘରୋଇ ବସଗୁଡ଼ିକର ସଂଖ୍ୟା ପ୍ରାୟ ୧୪ହଜାର। କିନ୍ତୁ ଏଥିରୁ ରାସ୍ତାରେ ଏବେ ଗଡ଼ୁଛି ମାତ୍ର ୭୦୦ ବସ୍। ରାଜଧାନୀ ଭୁବନେଶ୍ବରରେ ସାଧାରଣ ଭାବେ ଦୈନିକ ୧୫୦୦ରୁ ୧୮୦୦ ପାଖାପାଖି ବସ ଚାଲିଥାଏ। କିନ୍ତୁ କରୋନା ମାଡ଼ରେ ଏ ସଂଖ୍ୟା ୧୫୦ରୁ ୧୬୦ଭିତରେ ସୀମିତ ରହିଛି। ଆଉ ଶନିବାର ଏବଂ ରବିବାରେ ଏ ସଂଖ୍ୟା ୨୫ରୁ ୩୦କୁ ଖସିଯାଉଛି। ସବୁଠୁ ବଡ଼ ସମସ୍ୟା ହେଉଛି ବସରେ ଯାତ୍ରୀ ହେଉନାହାନ୍ତି। ଅଧିକାଂଶ ଲୋକେ ଦୁଇଚକିଆ, ଚାରିଚକିଆ ଉପରେ ନିର୍ଭର କରୁଛନ୍ତି। ସହର ବଜାରରେ ଏବେ ଏସବୁ ଯାନର ଅସମ୍ଭବ ଭିଡ଼। ମାର୍ଚ୍ଚ ୨୪ରୁ ରାଜ୍ୟରେ ବସ ସେବା ବନ୍ଦ ଥିଲା। ମେ ୨୮ରେ କଟକଣା କୋହଳ ପରେ ବସ ସେବା ସ୍ବାଭାବିକ ହେଲା ବୋଲି ଘୋଷଣା କରାଗଲା। ହେଲେ ଏ ପର୍ଯ୍ୟନ୍ତ ବାସ୍ତବରେ ବସ ସେବା ସ୍ବାଭାବିକ ସ୍ଥିତିକୁ ଆସିବା ସମ୍ଭବ ହୋଇନି।କଟକଣା କୋହଳ ଭିତରେ ବି ପ୍ରଥମେ ବସ ମାଲିକ ବସ ଚଳାଇବାକୁ ଅମଙ୍ଗ ହେଉଥିଲେ। ଟିକସ ପ୍ରଦାନ କରିବାକୁ ସେମାନଙ୍କର ସାମର୍ଥ୍ୟ ନଥିଲା। ଯାତ୍ରୀ ପରିବହନ ସ୍ବାଭାବିକ କରିବାକୁ ସରକାର ମାଲିକ ସଂଘ ସହିତ ଆଲୋଚନା କରିବା ପରେ କ୍ଷତି ଭରଣା ଓ ଟିକସ ଛାଡ଼ ପାଇଁ ବସ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଟିକସ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସଂଘ ଓ ସରକାରଙ୍କ ଭିତରେ ଆପୋସ ଆଲୋଚନା ପରେ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ଘୋଷଣା କରାଗଲା। ହେଲେ ଏପର୍ଯ୍ୟନ୍ତ ବସ ସେବା ସ୍ବାଭାବିକ ହୋଇପାରିନି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































