୩୩ ବର୍ଷ ଧରି ଚାଲିଥିବା ସୋ’ ବନ୍ଦ, ‘ଜୟଶ୍ରୀ’ରେ ସବୁ ଦିନ ପାଇଁ ତାଲା
କଟକ : ଦିନ ଥିଲା, ପ୍ରିମିୟର ସୋରେ ସେଠି ସିନେପ୍ରେମୀଙ୍କ ଭିଡରେ ଟ୍ରାଫିକ ଜାମ୍ ହୋଇ ଯାଉଥିଲା। ବାଲକୋନି ଉପରୁ ସିନେ ଷ୍ଟାରଙ୍କ ଝଲକ ଦେଖିବାକୁ ଲୋକେ ଭିଡ ଜମାଉଥିଲେ। ଟିକେଟ୍ ବ୍ଲାକ୍ ହେଉଥିବାରୁ ପୁଲିସ ଚଢଉ କରୁଥିଲା। ଏ ଗହଳଚହଳ ସବୁ ଦିନ ପାଇଁ ବନ୍ଦ ହୋଇଗଲା। ଓଲିଉଡର ଆଉ ଏକ ନାମକରା ସିନେମା ହଲରେ ସବୁଦିନ ପାଇଁ ତାଲା ପଡ଼ିଯାଇଛି। ପୂର୍ବରୁ ମାନ୍ଦା ବେପାରକୁ ନେଇ ମାଲିକ ଚିନ୍ତାରେ ଥିବା ବେଳେ ବର୍ତ୍ତମାନର କରୋନା ପରିସ୍ଥିତି ଏଭଳି ଚରମ ନିଷ୍ପତ୍ତି ନେବାକୁ ମାଲିକଙ୍କୁ ବାଧ୍ୟ କରିଥିବା କୁହାଯାଉଛି। ଓଡ଼ିଆ ସିନେମା ଶିଳ୍ପର ରାଜଧାନୀ କୁହାଯାଉଥିବା କଟକ ସହରର ବାଦାମବାଡି ଛକରେ ଥିବା ‘ଜୟଶ୍ରୀ’ ସିନେମା ହଲକୁ ଏଭଳି ବନ୍ଦ କରି ଦେବାପାଇଁ ନିଆଯାଇଥିବା ନିଷ୍ପତ୍ତି ଅନେକ ସିନେପ୍ରେମୀଙ୍କୁ ବ୍ୟଥିତ କରିଛି।୧୯୮୭ ମସିହାରେ ପ୍ରତିଷ୍ଠିତ ସହରର ପ୍ରମୁଖ ସ୍ଥାନରେ ଥିବା ‘ଜୟଶ୍ରୀ’ ସିନେମା ହଲ ଅନେକ ଘାତପ୍ରତିଘାତ ଭିତରେ ବି ମୁଣ୍ଡ ଟେକି ରହିଥିବା ବେଳେ କେବଳ ସହରବାସୀଙ୍କ ପାଇଁ ନୁହେଁ, ବାଦାମବାଡି ବସ୍ ଷ୍ଟାଣ୍ଡ ସାମନାରେ ଥିବାରୁ ସାରା ରାଜ୍ୟର ଲୋକଙ୍କ ପାଇଁ ମନୋରଂଜନର କେନ୍ଦ୍ର ରହି ଆସିଥିଲା। ୧୯୮୭ରେ ପ୍ରତିଷ୍ଠିତ ଜୟଶ୍ରୀ ହଲ୍ରେ ପ୍ରଥମ ସିନେମା ଭାବେ ‘ଏଇତ ଦୁନିଆ’ ରିଲିଜ ହୋଇଥିଲା। ଶେଷଥର ପାଇଁ ବାବୁସାନ୍ଙ୍କ ଅଭିନୀତ ସିନେମା ‘ମିଷ୍ଟର ମଜନୁ’ ପ୍ରଦର୍ଶିତ ହୋଇଥିଲା। କିନ୍ତୁ ଧୀରେଧୀରେ ସିନେମା ହଲ୍ ପ୍ରତି ଦର୍ଶକ ବିମୁଖ ହେବା, କେବଳ ଆଇନକ୍ସକୁ ଯିବା ଭଳି ଘଟଣା ହଲ୍ ମାଲିକଙ୍କ ଚିନ୍ତା ବଢାଇଥିଲା। ଏମିତିକି ନିୟମିତ ବିଦ୍ୟୁତ ଦେୟ, କର୍ମଚାରୀଙ୍କ ଦରମା, ହଲ୍ର ରକ୍ଷଣାବେକ୍ଷଣ କରିବା କଷ୍ଟକର ହେଉଥିଲା। ଶେଷରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ହଲରେ ତାଲା ପକାଇବା ବ୍ୟତୀତ ଅନ୍ୟ ବାଟ ନଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































