କରୋନା ପ୍ରଭାବ: ଶ୍ରମିକ ସମସ୍ୟା ସହିତ ଡିଜେଲ ଦର ବୃଦ୍ଧି, ଖର୍ଚ୍ଚ ବଢିବା ସହ ଭାଙ୍ଗୁଛି ଚାଷୀଙ୍କ ମେରୁଦଣ୍ଡ
ସମ୍ବଲପୁର: କରୋନା ଭାଇରସ୍ ମହାମାରୀ ପାଇଁ ହୋଇଥିବା ଲକ୍ଡାଉନ୍ ସମୟରେ ସମସ୍ତଙ୍କୁ ଆହାର ଯୋଗାଇଥିବା ଚାଷୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ମିଳିଲା ନାହିଁ। କିନ୍ତୁ ଡିଜେଲ ଦର ବୃଦ୍ଧି କରି ଚାଷୀର ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛନ୍ତି କେନ୍ଦ୍ର ସରକାର। ଟ୍ରାକ୍ଟର ଓ ପାୱାର ଟ୍ରିଲର ଜରିଆରେ ଶ୍ରମିକ ସମସ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ଚାଷୀ ପାଇଁ ଚଳିତ ବର୍ଷ ଚାଷ ଆହୁରି ବ୍ୟୟବହୁଳ ହେବା ନେଇ ବର୍ତ୍ତମାନ ଠାରୁ ଆକଳନ ଆରମ୍ଭ ହୋଇଛି। ଅନ୍ୟ ଦିଗରେ ଚଳିତ ବର୍ଷ ଧାନର ଏମଏସପି ମାତ୍ର ୫୩ ଟଙ୍କା ବୃଦ୍ଧି ପାଇଛି, ରବିରେ ବ୍ୟାପକ କଟନିଛଟନି ହୋଇଥିଲା। ଚିରସହଚର ପ୍ରାକୃତିକ ବିପର୍ଯ୍ୟୟ ସହିତ ବଢୁଥିବା କୃଷି ଖର୍ଚ୍ଚର ମୁକାବିଲା ଚାଷୀ କିଭଳି କରିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।୧୪ ଦିନରେ ଡିଜେଲ ଦର ୧୨ ଟଙ୍କା ବୃଦ୍ଧି ପାଇସାରିଛି। ରୁଆ ପାଇଁ ପ୍ରସ୍ତୁତି ହେଉଥିବା ଚାଷୀଙ୍କୁ ସରକାର କଣ ସନ୍ଦେଶ ଦେବାକୁ ଚାହାନ୍ତି ଏହାକୁ ନେଇ ପ୍ରଶ୍ନ ଉଠାଇଛି ସମ୍ବଲପୁର ଜିଲ୍ଲା ଚାଷୀ। ସେଚାଞ୍ଚଳ ଚାଷୀ ଅଶ୍ୱିନୀ ହୋତା କହନ୍ତି, ସମ୍ବଲପୁର ଜିଲ୍ଲାର ସୀମିତ ସଂଖ୍ୟକ କିଛି ବଡ଼ ଚାଷୀଙ୍କୁ ଛାଡ଼ି ଦେଲେ ଅଧିକାଂଶ ଟ୍ରାକ୍ଟର ଭଡ଼ାରେ ଆଣନ୍ତି। ଡିଜେଲ ଦରହିଁ ଟ୍ରାକ୍ଟର ଭଡ଼ା ଦର ନିର୍ଦ୍ଧାରଣ କରିଥାଏ। ଗତ ସିଜନରେ ଟ୍ରାକ୍ଟର ଚଳାଇବା ପାଇଁ ଚାଷୀକୁ ଘଣ୍ଟା ପିଛା ୯୦୦ ଟଙ୍କା ଦେବାକୁ ପଡ଼ୁଥିଲା ଚଳିତ ବର୍ଷ ଏହା ୧୨ଶହ ଟଙ୍କା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ୫ ଏକର ଚାଷ ପାଇଁ ୧୦ ଘଣ୍ଟା ଟ୍ରାକ୍ଟର ଚଳାଇବାକୁ ଆବଶ୍ୟକ ପଡ଼ୁଥିବାବେଳେ ଚାଷୀଙ୍କ ଖର୍ଚ କେତେ ବୃଦ୍ଧି ପାଇଛି ଏହା ସହଜରେ ଅନୁମାନ କରାଯାଇ ପାରେ।ସେହିଭଳି ନିଜସ୍ୱ ଟ୍ରାକ୍ଟର ଥିବା ଚାଷୀଙ୍କ ପାଇଁ ମଧ୍ୟ ଚାଷ ସହଜ ନୁହେଁ। ୧ ଘଣ୍ଟା ଚାଷ ପାଇଁ ୭ ଲିଟର ଡିଜେଲ ଆବଶ୍ୟକତା ଥାଏ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ଯୋଗୁଁ ଚାଷୀଙ୍କ ଅବସ୍ଥା କଣ ହେଉଥିବ ଏହା ସହଜରେ ଅନୁମାନ କରାଯାଇ ପାରେ। ତାଲବ ଗାଁ ଚାଷୀ ଯୋଗେଶ ଭୋଇ କହନ୍ତି, ଲକଡାଉନ ସହିତ ସଙ୍ଗରୋଧ ଭୟ ଯୋଗୁଁ ବାହାର ରାଜ୍ୟ, ଜିଲ୍ଲାର ଶ୍ରମିକ ସମ୍ବଲପୁର ଆସିବାକୁ ରାଜି ନୁହନ୍ତି। ଟ୍ରାକ୍ଟର ଓ ପାୱାର ଟ୍ରିଲର ଉପରେ ବର୍ତ୍ତମାନ ନିର୍ଭର ବୃଦ୍ଧି ପାଇବାରେ ଲାଗିଛି। ଜଳ ସଙ୍କଟ ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷୀ ପମ୍ପ ବ୍ୟବହାର କରିଥାଏ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ରିହାତିରେ କିରୋସିନ ଉପଲବ୍ଧ ନୁହେଁ। ଏହି ପମ୍ପ ଚଳାଇ ରଖିବା ପାଇଁ ଡିଜେଲର ଆବଶ୍ୟକତା ଥାଏ। ଏକାସହିତ ଡିଜେଲର ଏତେ ଦର ବୃଦ୍ଧି ଚାଷୀଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି। ଏଭଳି ଭାବରେ ଡିଜେଲ ଦର ବଢିଲେ, ଅତି କମରେ ରିହାତିରେ କିରୋସିନ ପ୍ରଦାନ ପାଇଁ ଯୋଗେଶ କହିଛନ୍ତି।ଗତ ରବିରେ ଧାନ ବିକ୍ରି ବେଳେ ପ୍ରାୟ ପ୍ରତ୍ୟେକ ଚାଷୀଙ୍କ ଠାରୁ ଅତି କମରେ ୨ରୁ୩ କ୍ୱିଣ୍ଟାଲ ଧାନ କଟନିଛଟନି ହୋଇଥିଲା। ପୁଣି ଯାହା ଧାନରେ ସାମାନ୍ୟ ସମସ୍ୟା ଥିଲା, କେତେ ଯେ ଧାନ କଟାଯାଇଛି ତାର ହିସାବ ନାହିଁ। ସାମାଜିକ ଦୂରତ୍ୱକୁ ସମ୍ମାନ ଦେଇ ଏହାକୁ ନେଇ ସମ୍ବଲପୁରରେ ଚାଷୀ ବିରୋଧ ପ୍ରଦର୍ଶନ କରିପାରିଲା ନାହିଁ। ଖରିଫ ବିକ୍ରି ବେଳେ ସେହିଭଳି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଏମଏସପି ନାମମାତ୍ର ବୃଦ୍ଧି ଯୋଗୁଁ ଖର୍ଚ୍ଚ ଭରଣା ହେବା ନେଇ ଅଧିକାଂଶ ଚାଷୀ ଅନିଶ୍ଚିତତା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇ ନାହିଁ। ଏଥିଯୋଗୁଁ ସହାୟତା ତାଲିକାରେ ଚାଷୀ ନାହାନ୍ତି। କରୋନା ପ୍ରଭାବ ସ୍ୱରୂପ ଚାଷୀ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛି ଏଥିପ୍ରତି ସରକାର ସମ୍ବେଦନଶୀଳ ନହେଲେ ଅବସ୍ଥା ଅସମ୍ଭାଳ ହେବା ନେଇ ଆଶଙ୍କା ରହିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































