ରାଜ୍ୟ ସରକାରଙ୍କ ଅଙ୍କୁଶ ପରେ ସାମ୍ନାକୁ ଆସିଲା ଅର୍ଥନୀତିର ସଙ୍କଟମୟ ଚିତ୍ର
ଭୁବନେଶ୍ୱର : (ଉଲାପ୍ର) କରୋନାର ମାଡ ଏବେ ସାଂଘାତିକ ହେଲାଣି । ଆଉ ୨ ବର୍ଷ ଯାଏ ନୂଆ ସରକାରୀ ଚାକିରିର ପ୍ରଶ୍ନ ନାହିଁ ଏପଟେ ଘରୋଇ କ୍ଷେତ୍ରରେ ଚାକିରିର ଅବସ୍ଥା ସମସ୍ତେ ଜାଣନ୍ତି । ଯାହା ଆଶା ବଂଚିଥିଲା, ତାହା କେବଳ ସରକାରୀ କ୍ଷେତ୍ରରେ । କିନ୍ତୁ ତାହା ବି ଏବେ ବନ୍ଦ ହୋଇଗଲା । କରୋନା ମହାମାରୀ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଆଗ ଜୀବନ ଓ ପରେ ଅର୍ଥନୀତି କଥା କୁହାଗଲା । ଏବେ ଜୀବନ ଓ ଅର୍ଥନୀତି ଏକାଠି ଚାଲିବା ଦରକାର ବୋଲି ସମସ୍ତେ ଅନୁଭବ କଲେଣି । ଯଦି ଅବସ୍ଥା ବିଗିଡିଯାଏ, ବୋଧହୁଏ କୁହାଯିବ, ଦୃଢ ଅର୍ଥନୀତିର ଆବଶ୍ୟକତା ସବୁଠୁ ବେଶୀ ।
କରୋନା କିପରି ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି, ମଙ୍ଗଳବାର ଦିନ ଅର୍ଥ ସଚିବ ଅଶୋକ ମୀନାଙ୍କ ନୂଆ ନିଷ୍ପତ୍ତି ବୟାନ କରୁଛି । ରାଜସ୍ୱ ସଂଗ୍ରହ ସାଂଘାତିକ ଭାବେ ପ୍ରଭାବିତ ହୋଇଥିବା ବେଳେ ନିଯୁକ୍ତି କଟକଣା, ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଇଛି ଅର୍ଥ ବିଭାଗ ।
ନଜର ପକାନ୍ତୁ ଅର୍ଥ ବିଭାଗର କଟକଣା ଉପରେ –
ସ୍ୱାସ୍ଥ୍ୟ ବିଭାଗ ଛଡ଼ା ଅନ୍ୟ ବିଭାଗରେ ସୃଷ୍ଟି ହେବନି ନୂଆ ଚାକିରି
୫ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ଉଚ୍ଛେଦ
କନସଲଂଟାଂଟ, ଆଉଟସୋର୍ସିଂ, ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ବନ୍ଦ
ନୂଆ ଗାଡ଼ି କିଣା ବନ୍ଦ, ସରକାରୀ ଗସ୍ତ ଉପରେ କଟକଣା
ଅଧିକାରୀଙ୍କ ବିଦେଶ ଗସ୍ତ, ବିଜିନେସ୍ କ୍ଲାସ ବିମାନଯାତ୍ରା ମନା
ଫାଷ୍ଟ କ୍ଲାସ ଏସି ଟ୍ରେନ ଯାତ୍ରା ଉପରେ ମଧ୍ୟ ଲାଗିଲା ପ୍ରତିବନ୍ଧ
ସରକାରୀ ଅଫିସର ସୌନ୍ଦର୍ଯ୍ୟକରଣ ଉପରେ ସଂପୂର୍ଣ୍ଣ କଟକଣା
ଖର୍ଚ୍ଚକାଟ ପାଇଁ ସରକାରୀ ବିଭାଗରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିବ କଟକଣା । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି, ପରିସ୍ଥିତି ସୁଧାର ନଆସିବା ଯାଏ କଟକଣା ଜାରି ରହିବ ।
କରୋନା ଯୋଗୁଁ ରାଜସ୍ୱ ସଂଗ୍ରହ ବହୁ ପରିମାଣରେ ହ୍ରାସ ହୋଇଛି । ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ଫଳରେ ଚଳିତ ଆର୍ଥିକ ବର୍ଷର ବଜେଟ ପ୍ରଭାବିତ ହେବା ଆଶଙ୍କା ରହିଛି । ଏପରିକିି ସରକାରୀ କର୍ମଚାରୀଙ୍କ ଦରମା କାଟ ହେବା ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ମଧ୍ୟ ରହିଛି ।
ଚାକିରି ଉପରେ ସରକାର ପ୍ରତିବନ୍ଧ ଲଗାଇଥିବା ବେଳେ ଏହାକୁ ବିରୋଧ କରିଛି କଂଗ୍ରେସ । କଂଗ୍ରେସ ଭବନ ପରିସରରେ ଜୋତା ପଲିସ କରି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ସରକାରଙ୍କ ଦୂରଦୃଷ୍ଟିର ଅଭାବ ରହିଛି । ନୂଆ ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ ଯୁବତୀ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ନିରଂଜନ । ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି ।
ନିଯୁକ୍ତ ନେଇ ଦ୍ୱନ୍ଦ୍ୱ ବଢ଼ୁଥିବା ବେଳେ ସ୍ପଷ୍ଟିକରଣ ରଖିଛି ଅର୍ଥ ବିଭାଗ । ସରକାର କହିଛନ୍ତି, କେବଳ ନୂଆ ପଦବୀ ସୃଷ୍ଟି ଉପରେ ଅସ୍ଥାୟୀ କଟକଣା ଲାଗିଛି । ପୂର୍ବଭଳି ଖାଲି ପଡିଥିବା ପଦବୀ ପୂରଣ ହେବ ।

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































