କଭି ଅଲବିଦା ନା କହନା….ବିଦାୟ ଉତ୍ସବରେ ଏମିତି କହି ଭାବପ୍ରବଣ କଲେ ଲେଡି ସିଂହମ୍
ସୁନ୍ଦରଗଡ଼ : ( ଉ ଲା ପ୍ର ) ଏକ ଭାବପ୍ରବଣ ପରିବେଶରେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୁଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବରୁ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ଯ୍ୟ କରିଥିବା ସାଗରିକା ୨୦୧୯ ଅଗଷ୍ଟ ମାସରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଲେଡି ସିଂହମ୍ ଅଫିସର ଭାବେ ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଆଇପିଏସ୍ ଅଫିସର ରାଜଧାନୀବାସୀଙ୍କ ଅତି ପ୍ରିୟ ହୋଇଯାଇଥିଲେ ସେ। ସର୍ବଦା ଆକ୍ସନମୁଡ୍ରେ ରହୁଥିବା ସାଗରିକା ଅଭିନବ ଢଙ୍ଗରେ କାମ କରିବାକୁ ପସନ୍ଦ କରୁଥିଲେ।ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସାଗରିକା ନାଥ ଅବସର ନେବାବେଳେ କହିଛନ୍ତି, ପୁଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା। ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ। ତେବେ ମୋ ଜୀବନର ମୋଟୋ ହେଲା ‘କଭି ଅଲ୍ବିଦା ନା କହନା..’।
କମିଶନରେଟ ପୁଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବହୁତ କାମ ହୋଇଛି। ବହୁତ କାମ ବାକି ଅଛି। ଜନସାଧାରଣଙ୍କ ସହଯୋଗ ରହିଲେ ବାକି କାମକୁ ଆଗେଇ ନିଆଯିବ। ବହୁତ ଲୋକଙ୍କ ସମର୍ଥନ କରିଛନ୍ତି। ବିଦାୟ ଉତ୍ସବରେ ସେ ସମସ୍ତ ଉଚ୍ଚପଦସ୍ତ ଅଧିକାରୀ ଓ ପୁରା ପୋଲିସ୍ ଟିମକୁ ଧନ୍ୟବାଦ ଦେଇଛନ୍ତି। ଗଣମାଧ୍ୟମଠାରୁ ସେ ସଂପୂର୍ଣ୍ଣ ସହଯୋଗ ପାଇଥିବା ମଧ୍ୟ କହିଛନ୍ତି।
ଜଣେ କର୍ତ୍ତବ୍ୟ ପରାୟଣ ଓ ସଚ୍ଚା ଅଫିସର ଭାବେ ନିଜ ଦାୟିତ୍ୱକୁ ବେଶ ସୂଚାରୁ ଭାବେ ତୁଲାଇଛନ୍ତି ସାଗରିକା। ଆମାନିଆଙ୍କୁ ସାବାଡ଼ କରିବା ହେଉକି ଟ୍ରାଫିକ୍ ସୁପରିଚାଳନା ହେଉ ସବୁଥିରେ ପାରଙ୍ଗମ ଥିଲେ ସାଗରିକା।
୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସଙ୍କ ଜନ୍ମ ୧୯୮୮ ମସିହାରେ ଅନୁଗୁଳରେ। ପିଲାବେଳ କୋରାପୁଟରେ କଟିଥିବା ବେଳେ ଦାମନଯୋଡ଼ିରେ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ। ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିଥିଲେ। ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏହି ଆଇପିଏସ ଅଫିସର ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































