କୋଭିଡ୍ କେୟାର ସେଣ୍ଟର ଛାଡ଼ି ରାସ୍ତାରେ ବସିଲେ ୧୦୦ କରୋନା ରୋଗୀ
ଗୌହାଟି: ( ଉ ଲା ପ୍ର ) ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍ କେୟାର ସେଣ୍ଟରରୁ ପଳାଇ ଆସିପାଖାପାଖି ୧୦୦ ଜଣ କରୋନା ରୋଗୀ NH ଅବରୋଧ କରିଥିଲେ। ଗୁରୁବାର ଆସାମର କାମ୍ରୁପ୍ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
କୋଭିଡ୍ କେୟାର ସେଣ୍ଟରରେ ଠିକ୍ ଭାବେ ଖାଦ୍ୟ ଓ ପାନୀୟ ମିଳୁନଥିବା ଅଭିଯୋଗରେ ଏହି ରୋଗୀମାନେ କୋଭିଡ୍ କେୟାର ସେଣ୍ଟରରୁ ପଳାଇ ଆସି NH 31 ଅବରୋଧ କରିଥିଲେ। ଖବରପାଇ କାମ୍ରୁପ୍ ଡେପୁଟି କମିଶନର କୈଳାଶ କାର୍ତ୍ତିକ ଓ ଅନ୍ୟ ପୁଲିସ୍ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହ କୋଭିଡ୍ କେୟାର ସେଣ୍ଟର ଫେରି ଯିବାପାଇଁ କହିଥିଲେ। ପରେ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।
ସେମାନଙ୍କର ଅଭିଯୋଗ ଥିଲା ଯେ, କୋଭିଡ୍ କେୟାର ସେଣ୍ଟରରେ ସେମାନଙ୍କୁ ଠିକ୍ ଭାବେ ଖାଦ୍ୟ ଓ ପାନୀୟ ଦିଆଯାଉ ନାହିଁ। ଏପରିକି ସେଣ୍ଟରରେ ଥିବା ବେଡ୍ର ଅବସ୍ଥା ମଧ୍ୟ ଅତ୍ୟନ୍ତ ଖରାପ। ଖାଲ ଏତିକି ନୁହେଁ ଗୋଟିଏ ରୁମ୍ରେ ୧୦-୧୨ଜଣଙ୍କୁ ରଖାଯାଉଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଆସାମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଯଦି ରୋଗୀମାନେ କୋଭିଡ୍ କେୟାର ସେଣ୍ଟରରେ ଉପଲ୍ଲବ୍ଧ ସୁବିଧାକୁ ନେଇ ସନ୍ତୁଷ୍ଟ ନାହାନ୍ତି, ତା’ହେଲେ ସେମାନେ ହୋମ୍ କ୍ୱାରେଣ୍ଟିନ୍ରେ ରହିପାରିବେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































