ନୟାଗଡ଼ ଜିଲା ସରଣକୁଳରେ ସିରିଜ ଦୁର୍ଘଟଣା,୬ମୃତୁ
ନୟାଗଡ଼(ଉଲାପ୍ର) ଡମ୍ପର ଧକ୍କାରେ ୬ ଜଣଙ୍କ ଅକାଳ ମୃତ୍ୟୁ । ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନିକଟରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଓଡି-୦୨-ଡି-୬୧୬୫ ନମ୍ବର ହଳଦିଆ ରଙ୍ଗର ଆର୍. କେ. ଡି. କମ୍ପାନୀର ଡମ୍ପରଟି ନୟାଗଡ଼ ପଟରୁ ଆସୁଥିବା ବେଳେ ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିବା ସୂଚନା ମିଳିଛି l ଗାଡ଼ିଟି ଶରଣକୁଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁଡାମିଲ୍ ଠାରୁ ଆରମ୍ଭ କରି ପଥୁରିଆ ସାହି ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼଼ାଇ ଚାଲିଥିବା ବେଳେ ଗାଡ଼ିଟି ଶେଷରେ ରାସ୍ତା କଡ କାଳକୁ ଗଡ଼ି ପଡ଼ିଥିଲା। ଦୁର୍ଘଟଣା ଘଟାଇ ଡ଼୍ରାଇଭର ଖସି ଯାଇଥିଲା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକର ଡ୍ରାଇଭର କୁ ଭୁଲ୍ ବଶତଃ ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଯୁବକମାନେ ତାକୁ କାବୁ କରି ପୋଲିସ କୁ ହସ୍ତାନ୍ତର କରିଛନ୍ତି।
ଦୁର୍ଘଟଣାରେ ମୃତ ପଥଚାରୀ ଙ୍କୁ ମୁଣ୍ଡପିଛା ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣାର ପ୍ରମୁଖ କାରଣ ନିଶାସକ୍ତ ଡ୍ରାଇଭରର ବେପରୁଆ ମନୋଭାବକୁ ଦାୟି କରିଛନ୍ତି ସ୍ଥାନୀୟ ଜନତା। ସମ୍ପୂର୍ଣ କ୍ଷତିପୂରଣ ନ ମିଳିଲେ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ମୃତକଙ୍କ ସମ୍ପର୍କୀୟ ଏବଂ ଜନସାଧାରଣ। ଶରଣକୁଳ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଆରମ୍ଭ କରାଯାଉ ଏବଂ ସକାଳ ୬ଟାରୁ ରାତି ଦଶଟା ମଧ୍ୟରେ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଦାବି କରିଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜିଲ୍ଲାପାଳ ପହଞ୍ଚି ନଥିବା ସୂଚନା ରହିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































