ପ୍ରକାଶ ପାଇବା ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ବହି THE PRESIDENTIAL YEARS ବିବାଦରେ !!
ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରବଣ ମୁଖାର୍ଜୀଙ୍କ ବାୟୋଗ୍ରାଫି ଆସନ୍ତା ମାସରେ ପ୍ରକାଶିତ ହେବ। ହେଲେ ଏହାର ମାଲିକାନାକୁ ନେଇ ପ୍ରଣବ ଦା’ଙ୍କ ପୁଅ ଓ ଝିଅଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଉଭୟ ପରସ୍ପରକୁ ସୋଶାଲ ମିଡିଆରେ ସମାଲୋଚନା କରିଛନ୍ତି। ‘The Presidential Years’ ରେ ପ୍ରଣବ ଦା’ ତାଙ୍କ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାକୁ ରୂପା ପବ୍ଲିକେଶନ ତରଫରୁ ପ୍ରକାଶିତ କରାଯିବ।
ତେବେ ବହିଟି ପ୍ରକାଶିତ ହେବା ପୂର୍ବରୁ ପ୍ରଣବ ଦା’ଙ୍କ ପୁଅ ଅଭିଜିତ ମୁଖାର୍ଜୀ ଏହାକୁ ବିରୋଧ କରିଛନ୍ତି ଓ ପବ୍ଲିକେଶନ ସଂସ୍ଥା ଏହା ମଧ୍ୟରେ ଥିବା କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଆଗୁଆ ଲିକ୍ କରିଦେଇଛି ବୋଲି ସେ କହିଛନ୍ତି। ଅଭିଜିତ ଟ୍ୱିଟ କରି କହିଛନ୍ତି ଯେ ମୋ ବାପା ଏ ଦୁନିଆରେ ନଥିବାରୁ ତାଙ୍କ ଅଭିଜ୍ଞତା ସମ୍ବଳିତ ବହି ପ୍ରକାଶ ପାଇବା ପୂର୍ବରୁ ମୁଁ ଏହାର ଚୂଡ଼ାନ୍ତ କାମ ଦେଖିବି।
ଏହାପରେ ଯାଇ ବହି ପ୍ରକାଶିତ ହୋଇପାରିବ। କିନ୍ତୁ ଅଭିଜିତଙ୍କ ଭଉଣୀ ତଥା ପ୍ରଣବ ଦା’ଙ୍କ ଝିଅ ଶର୍ମିଷ୍ଠା ଖୋଲାଖୋଲି ଭାବେ ପବ୍ଲିକେଶନ ସଂସ୍ଥାର ସମର୍ଥନ କରିଛନ୍ତି। ଏଥିସହ ସେ ଅଭିଜିତଙ୍କୁ ସମାଲୋଚନା କରିଛନ୍ତି। ଉଭୟ ଭାଇ-ଭଉଣୀ ପ୍ରଣବ ଦା’ଙ୍କ ବାୟୋଗ୍ରାଫି ଉପରେ ନିଜର ହକ୍ ଜାହିର କରିବାରୁ ବିବାଦ ବଢ଼ିବାରେ ଲାଗିଛି।
ଅଭିଜିତ ଟ୍ୱିଟ୍ କରି କହିଛନ୍ତି, ଯେହେତୁ ମୋ ବାପା ନାହାନ୍ତି, ତାଙ୍କ ପୁଅ ହିସାବରେ ବହି ପ୍ରକାଶିତ ହେବା ପୂର୍ବରୁ ଏହାର ଚୂଡ଼ାନ୍ତ ବିଷୟବସ୍ତୁ ବାବଦରେ ମୋର ଜାଣିବାର ଅଧିକାର ରହିଛି। ମୁଁ ଦେଖିବା ପରେ ଯାଇ ଏହା ପବ୍ଲିଶ ହେବ। ମୋର ବିଶ୍ୱାସ ମୋ ବାପା ଆଜି ଜୀବିତ ଥିଲେ ସେ ମଧ୍ୟ ସେୟା କରିଥାଆନ୍ତେ।”
ଆଉ ଏକ ଟ୍ୱିଟରେ ସେ କହିଛନ୍ତି, “ମୁଁ ହେଉଛି ବାୟୋଗ୍ରାଫି ଲେଖିଥିବା ବ୍ୟକ୍ତିଙ୍କ ପୁଅ। ତେଣୁ ମୁଁ ପବ୍ଲିକେଶନ ସଂସ୍ଥାକୁ ଅନୁରୋଧ କରିବାକୁ ଚାହୁଁଛି ଯେ ‘The Presidential Years’ ର ପ୍ରକାଶନ ଉପରେ ରୋକ୍ ଲଗାଯାଉ। ଏଥିସହ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଲିକ୍ କରିବା ମଧ୍ୟ ବନ୍ଦ ହେଉ। ମୋ ବିନା ଅନୁମତିରେ କିଛି ଗଣମାଧ୍ୟମରେ ବାୟୋଗ୍ରାଫିର ଅଂଶବିଶେଷ ପ୍ରକାଶ ପାଇଛି। ଆଗକୁ ଯେପରି ଏମିତି ନ ହେବା ଦରକାର।”
ତୃତୀୟ ଟ୍ୱିଟରେ ସେ କହିଛନ୍ତି, ତୁରନ୍ତ ଏହାର ପବ୍ଲିକେଶନକୁ ବନ୍ଦ କରାଯାଉ। ମୁଁ ଲିଖିତ ଅନୁମତି ନ ଦେବା ଯାଏ, ଏହାର ପବ୍ଲିକେଶନ ହୋଇପାରିବ ନାହିଁ।
ଅନ୍ୟପକ୍ଷରେ ଅଭିଜିତଙ୍କ ଏକାଧିକ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଭଉଣୀ ଶର୍ମିଷ୍ଟା। ସେ କହିଛନ୍ତି, “ମୁଁ ହେଉଛି ‘The Presidential Years’ ଲେଖକଙ୍କ ଝିଅ। ମୋ ଭାଇ(ଅଭିଜିତ)ଙ୍କୁ ଅଯଥା ବହିର ପବ୍ଲିକେଶନ ଉପରେ ରୋକ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଏହି ଶେଷ ବହିଟି ଆମ ବାପା ଲେଖିଛନ୍ତି। ସେ ଅସୁସ୍ଥ ହେବାର ବହୁ ପୂର୍ବରୁ ହିଁ ଏହାକୁ ଲେଖି ସାରିଥିଲେ। ଏହାର କଣ୍ଟେଣ୍ଟ ( ବିଷୟବସ୍ତୁ) ବିଷୟରେ ସେ ଭଲ ଭାବେ ଜାଣିଛନ୍ତି। ଏହାକୁ ବିରୋଧ କରି ଶସ୍ତା ଲୋକପ୍ରିୟତା ପାଇବାକୁ ଚେଷ୍ଟା କରିବା ଠିକ୍ ନୁହେଁ।”
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































