ଅମିତ ଶାହାଙ୍କ ଆସାମ ଗସ୍ତ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ବର, ୨୪।୧୨- ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଆସାମ ଗସ୍ତ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଯୋଜନାର ତଥା ବିଜେପି ଆସାମ ପ୍ରଦେଶର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବୁଧବାର ଆସାମରେ ପହଞ୍ଚିଛନ୍ତି। ଗତକାଲି ସେ ଅପରାହ୍ନରେ କରିମଗଂଜଠାରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସହପ୍ରଭାରୀ ପବନ ଶର୍ମା, ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ଦିଲ୍ଲୀପ ସାଇକିଆଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସୋନୋୱାଲ ଶ୍ରୀଯୁକ୍ତ ପଣ୍ଡାଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଆପଣ ଆମକୁ ସବୁବେଳେ ମାର୍ଗଦର୍ଶନ ଦେଉଥାନ୍ତୁ ଯେପରି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ବପ୍ନ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଲକ୍ଷ୍ଯ ଦିଗରେ ଦେଶକୁ ଏକତ୍ରିତ କରିପାରିବୁ। ବିଶେଷ କରି ଏନେଇ ଶ୍ରୀଯୁକ୍ତ ପଣ୍ଡା ଆସାମ ଭୂମିରେ ନିଶ୍ଚିତ ଦୃଢ଼ ପଦକ୍ଷେପ ନେବେ ବୋଲି ସେ କହିଥିଲେ।
ସେହିପରି ଆଜି ସେ କରିମଗଞ୍ଜଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ନିର୍ଣ୍ଣୟାତ୍ମକ ଭୂମିକା ବିଷୟରେ କହିଥିଲେ। ଆସନ୍ତାକାଲି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ଓ କୃଷି ସମ୍ମେଳନ ଇତ୍ୟାଦି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପଣ୍ଡା ଭାଗ ନେବେ ଓ ଅନ୍ୟ କାର୍ଯ୍ୟକ୍ରମଗୁଡିକର ତଦାରଖ କରିବେ। ଏହାପରେ ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































