ଅବିକା କ୍ୟାଲେଣ୍ଡର୍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍ ଅଫ୍ ଦ ଇୟର
ଭୁବନେଶ୍ୱର ୧୭/୧: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତାରେ ‘ଫେସ୍ ଅଫ୍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍-ଟ୍ରି ଗ୍ଲୋବାଲ୍ ସ୍କୁଲ୍ ପ୍ରେକ୍ଷାଳୟରେ ଆୟୋଜିତ ଗ୍ରାଣ୍ଡ୍ ଫିନାଲେ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍ର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ଏଥି ସହିତ ୧୨ ଜଣଙ୍କୁ ‘ଫେସ୍ ଅଫ୍ ଦ ମନ୍ଥ’ ଭାବେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଅନନ୍ୟା ଦାଶ, ଅର୍ପିତା ଶତପଥୀ, ବିଦିଶା ପ୍ରିୟଦର୍ଶିନୀ, ଦେବଜ୍ୟୋତି ବିଶ୍ୱାଳ, ଦେବାଶିଷ ଦାସ, ଫିର୍ଦୋଷୀ ତବସୁମ, ସସ୍ମିତା ପଣ୍ଡା, ସ୍ମରଣିକା ହୋତା, ସ୍ମୃତିରଞ୍ଜନ ସ୍ୱାଇଁ, ସ୍ରିଷ୍ଟି ଦାସ, ଶୁଭେନ୍ଦୁ ଲେଙ୍କା ଏବଂ ସୁଜିତ କୁମାର ଦାଶ । ଶ୍ରେଷ୍ଠ ଚବିଶ ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଲେଖକ ସରୋଜ ବଳ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଶିକ୍ଷାବିତ ପଞ୍ଚମୀ ମାନୁ ଉକିଲ୍ ଏବଂ ସମ୍ବଲପୁରୀ ବୁଣାକାର ଲକ୍ଷ୍ମୀନାରାୟଣ ମେହେର ଏହି ଉତ୍ସବରେ ଅତିଥି ଭାବେ ଉପସ୍ଥିତ ରହି ଓଡ଼ିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖିଥିଲେ । ଓଡ଼ିଶା ହସ୍ତତନ୍ତକୁ ସ୍କୁଲ ୟୁନିଫର୍ମ ଭାବେ ବ୍ୟବହାର କରି ପୁରସ୍କୃତ ହୋଇଥିବା ୱିସଡମ୍-ଟ୍ରି ଗ୍ଲୋବାଲ୍ ସ୍କୁଲ୍ ତରଫରୁ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଅବିକା ତରଫରୁ ପ୍ରସ୍ତୁତ ବିଜେତାମାନଙ୍କ ଫଟୋ ଓ ପରିଚିତି ସମ୍ବଳିତ ଏକ ସ୍ମରଣିକା ମଧ୍ୟ ଉତ୍ସବରେ ଲୋକାର୍ପିତ ହୋଇଥିଲା ।
ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ସ୍ୱାଗତ ଭାଷଣ ଦେଇ ଖୁବ୍ଶୀଘ୍ର ସଫଳ ପ୍ରତିଯୋଗୀଙ୍କର ଏକ ଫଟୋସୁଟ୍ କରାଯାଇ କ୍ୟାଲେଣ୍ଡର୍ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଥିଲେ । ସରୋଜ ବଳ ଉତ୍ସବ ପରିଚାଳନା କରିଥିଲାବେଳେ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରଶ୍ମିତା, ଅଜିତ, ସୌମ୍ୟ, ବଳରାମ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Odia 












































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































