ସିଲଭରସିଟିରୁ ନକଲି ସିମେଣ୍ଟ, ସ୍ମାର୍ଟସିଟିରୁ ସଢ଼ା ସସ୍ । ଟ୍ଵିନସିଟି ପାଲଟୁଛି ଏବେ ନକଲି ସିଟି, କାହା ଛତ୍ରଛାୟା ତଳେ ଦ୍ୱୈତ ନଗରୀରେ ଦୁର୍ଗଭଳି ଛିଡ଼ା ହେଉଛି ଭେଜାଲ ଭଣ୍ଡାର ?
ଭେଜାଲ ଜିନିଷ ଏବେ ଭାଇଚାରା ସହରରୁ ଭୁବନେଶ୍ୱର । ସିଲଭର ସିଟି ପରେ ଏବେ ସ୍ମାର୍ଟସିଟି ହେବାକୁ ଲାଗିଛି ନକଲି କାରଖାନାର ହବ୍ । କିଛିଦିନ ତଳେ ଭୁବନେଶ୍ୱରରୁ ନକଲି ଘିଅ ଠାବ ପରେ ସାଧାରଣ ଲୋକଙ୍କ ମଧ୍ୟରେ ନକଲି ନିଆଁ ତେଜିବାକୁ ଲାଗିଥିଲା । ହେଲେ ଏହାରି ଭିତରେ ଏବେ ଭୁବନେଶ୍ୱରର ପାହାଳ ପାଖରୁ ଏକ ନକଲି ସସ୍ ଓ ଆଚାର କାରଖାନା ଜବତ ହୋଇଛି ।
ଏମିତି ପଚାସଢ଼ା ସସ୍ ଆଉ ଆଚାର ଯାହା ପୋକ ସାଲୁବାଲୁ ହେଉଥିଲେ ମଧ୍ୟ ପ୍ରସ୍ତୁତ ହୋଇ ପ୍ରଥମେ ବଜାରକୁ ପରେ ଆପଣଙ୍କ ରୋଷେଇଶାଳକୁ ଯାଉଥିଲା । କେବଳ ଏତିକି ନୁହେଁ ନାଁ ଲାଇସେନ୍ସ ନାଁ ଏକ୍ସପାୟରି ଡେଟ୍ କିଛି ବି ସଠିକ୍ ନଥିଲା ଏହି ନକଲି କାରଖାନାର । କିନ୍ତୁ ବେଧଡ଼କ୍ ଭାବେ ବିପୁଳ ପରିମାଣରେ ପ୍ରସ୍ତୁତ ହେଉଥିଲା ଏଭଳି ନକଲି ସସ୍- ଆଉ ନିମ୍ନମାନର ଆଚାର । ତେବେ ଖାଇବା ତ ଦୂରର କଥା ଏଭଳି ସସ୍-ଆଚାରକୁ କେହି ଆଖି ଉଠାଇ ଅନାଇବେ ନାହିଁ । କେମିତି ଜବତ୍ କଲା ସ୍ୱେଶାଲ ସ୍କ୍ୱାର୍ଡ ଓ କମିଶନରେଟ୍ ପୋଲିସ ପୂରା ସୂଚନା ଦେଇଛନ୍ତି ।
ତେବେ ପୂର୍ବରୁ ସିଲଭରସିଟି କଟକରେ କାୟା ମେଲାଇଥିବା ନକଲି ଜିନିଷ ଏବେ ଧିରେ ଧିରେ ସ୍ମାର୍ଟସିଟି ମୁହାଁ ହୋଇଛି । କଟକରେ ପ୍ରଥମେ ସିମେଣ୍ଟ, ରୋଷେଇ ମସଲା, ଘିଅ, ପନିର ଓ ନକଲି ଗୁଟଖା କାରଖାନା ଜବତ କରି ପର୍ଦ୍ଦାଫାସ କରିଥିଲା ପୋଲିସ । ହେଲେ ସେହି ଭେଜାଲ ଜିନିଷ ଏବେ ଭୁବନେଶ୍ୱରର ବିଭିନ୍ନ ବଜାରରେ ବୁଲିବାରେ ଲାଗିଲାଣି । ଚକାଚକ୍ ପ୍ୟାକିଂରେ ଅପମିଶ୍ରିତ ଜିନିଷ ଏବେ କେତେବେଳେ କାହାର ଜୀବନ ନେଇଯିବ ତାହାକୁ ମଧ୍ୟ ଏଡାଇ ନଦିଆଯାଇପାରେ ।
ସବୁଠାରୁ ବଡ଼ କଥା ହେଲା କି, କେତେବେଳେ ଘିଅ ସିମେଣ୍ଟ ଆଉ କେତେବେଳେ ସସ୍- ଆଚାର ଭଳି ନକଲି ଜିନିଷର କାରଖାନା ଠାବ ହେଉଛି । କିନ୍ତୁ ସାଧାରଣ ଲୋକର ମନରେ ପ୍ରଶ୍ନ ଉଠୁଛି, ଏତେ ଚଢ଼ାଉ ଆଉ ଯାଞ୍ଚ ପରେ ମଧ୍ୟ ବାରମ୍ବାର ଟ୍ୱିନସିଟିର ପ୍ରମୁଖ ସ୍ଥାନରେ କିଭଳି ଜଣେ ନକଲି କାରଖାନା ଖୋଲୁଛି ଆଉ ଖୁଲମଖୁଲା ଭାବେ କେମିତି ଏଭଳି ଭେଜାଲ ଜିନିଷ ଦୈତନଗରୀକୁ ନକଲି ନଗରୀରେ ପରିଣତ କରିବାରେ ଲାଗୁଛି? କ’ଣ ପାଇଁ ପୋଲିସ କି ସ୍ଥାନୀୟ ନେତାଙ୍କ ପାଖରେ ଖବର ରହୁନି? କି ଏଭଳି ଖବର କୌଣସି ସରକାରୀ ବାବୁଙ୍କ ନଜରକୁ କାହିଁକି ଆସୁନି? ଯଦି ଟ୍ୱିନସିଟିରେ ଏଭଳି ଭେଜାଲ କାରଖାନା ଖୋଲିପାରୁଛି ତେବେ ରାଜ୍ୟର ଗାଁ ଗହଳିରେ ଆଉ କେତେ ଖୋଲିନଥିବ ବୋଲି କ’ଣ ଗ୍ୟାରେଣ୍ଟି ଅଛି?
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































