ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟାଧମକ ଦେଇଥିବା ଅଭିଯୁକ୍ତ ଗିରଫ : ଆଶ୍ରମର ପୂର୍ବତନ ଅନ୍ତେବାସୀ ଦେଇଥିଲା ଧମକ : ଘଟଣାର ପର୍ଦ୍ଦାଫାଶ କଲେ ଏସପି
ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜାଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ରବିବାର ଗିରଫ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମ କଟକ ନିକଟସ୍ଥ ଚାଟିକଣାରୁ ଅଭିଯୁକ୍ତ ଅଭିଯୁକ୍ତ ମହାଦେବ ମହାରାଜକୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି। ପୁଣି କନ୍ଧମାଳ, ପୁଣି ଜାଲେଶପଟ୍ଟା, ପୁଣି ବାବା । ୨୦୦୮ ପରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ କୁ ଆସିଛି ଜାଲେଶପଟ୍ଟା ଆଶ୍ରମ । ୧୩ ବର୍ଷ ତଳର ଘଟଣା ପରି ଏଥର ବି ଫୋନ୍ କଲ୍କୁ ନେଇ ହୋଇଛି ତମ୍ବିତୋଫାନ ଓ
ଛାନ୍ଭିନ୍ । ଶେଷରେ ସବୁରି ମୂଳରେ ମାଧବ ବୋଲି ଜଣାପଡ଼ିଛି । ପୋଲିସ ମାଧବଙ୍କୁ ଅଟକ ରଖିଛି ।କନ୍ଧମାଳରେ ଚହଳ ପଡ଼ିଥିଲା । ୨୦୦୮ରେ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ଧମକ ପରି କନ୍ଧମାଳର ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍ରେ ମିଳିଛି ହତ୍ୟା ଧମକ । ସାଙ୍ଗସାଙ୍ଗେ ବାବା ପୋଲିସର ସହାୟତା ନେବା ପରେ ସୁରକ୍ଷାର ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ ଏସ୍ପି ବିନୀତ ଅଗ୍ରୱାଲ । ଆଉ ଘଟଣାର ୨୪ ଘଣ୍ଟା ନପୂରୁଣୁ ପୋଲିସ ମୁଖ୍ୟ ଆସାମୀକୁ ଅଟକ ରଖିଛି । ଆଉ ସେ ଆସାମୀ ହେଉଛନ୍ତି ଆଶ୍ରମର ପୂର୍ବତନ ଅନ୍ତେବାସୀ ବାବା ମାଧବ। ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ପୂର୍ବରୁ ରହୁଥିବା ମାଧବ ହିଁ ଏହି ମହାନାଟକର ମୁଖ୍ୟ କାର୍ପଟଦାର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଖୋଦ୍ ଏସ୍ପି ପ୍ରେସମିଟ୍ କରି ପୂରା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ।ତେବେ ଘଟଣାକୁ ନେଇ ଆଜି ଦିନ ତମାମ ଉଠିଥିଲା ପଡ଼ିଥିଲା ଜଲେଶପଟ୍ଟା ଆଶ୍ରମ । ବମ୍ ସ୍କ୍ବାର୍ଡ ଠାରୁ ଆରମ୍ଭ କରି ପୋଲିସ ଆଶ୍ରମକୁ
ଘେରାଉ କରି ରଖିଥିଲା। ତନ୍ନ ତନ୍ନ କରି ଆଶ୍ରମରେ ଛାନ୍ଭିନ୍ କରିଥିଲା । ସେପଟେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ଘଟଣାକୁ ମନେ ପକାଇ ପୁରା ଆଶ୍ରମବାସୀ ଚିନ୍ତାରେ ପଡ଼ିଥିଲେ। ଏପରିକି ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀ ବି ନିଜ ଜୀବନ ପ୍ରତି ବିପଦ ଥିବା ନେଇ କିଂ କର୍ତ୍ତବ୍ୟ ବିମୁଢ ହୋଇ ଯାଇଥିଲେ।ଜଲେଶପଟ୍ଟା ଆଶ୍ରମକୁ ଉଡ଼େଇ ଦେବାକୁ ଧମକ ଖବର ପରେ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ। ରାଜ୍ୟ ବିଜେପିର ଏକ ସାତ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଆଶ୍ରମ ଯାଇ ବାବା ଜୀବନ ମୁକ୍ତାନନ୍ଦଙ୍କ ସହ ଆଲୋଚନା କରିଥିଲ। ସେପଟେ ବିଶ୍ବ ହିନ୍ଦୁ ପରିଷଦ ଏଥିରେ ବିଧର୍ମୀମାନେ ଜଡ଼ିତ ଥିବା ଟାର୍ଗେଟ କରିଥିଲା।ଜୀବନ ମୁକ୍ତାନନ୍ଦଙ୍କୁ ଧମକ ପରେ ପ୍ରଶାସନ ଆଲର୍ଟ ହୋଇଥିଲା ପୋଲିସ ତନାଘନା ସଂପୃକ୍ତ ଫୋନ କଲର ନମ୍ବରର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ବିଷମକଟକରୁ ଆସିଥିଲା l ଏହି ଧମକପୂର୍ଣ୍ଣ କଲ। ଏହି ସିମର ଠିକଣାକୁ ଯାଞ୍ଚ କରିବା ପରେ ପୋଲିସ ଜଣେ ଲକ୍ଷ୍ମୀନାରାୟଣ କଣ୍ଡାଗିରିଙ୍କ ପାଖରେ ପହଞ୍ଚିଥିଲା। ଆଉ ସେଠାରେ ଆଶ୍ରମ କରି ରହୁଥିବା ଜଲେଶପଟ୍ଟା ଆଶ୍ରମର ପୂର୍ବତନ ଅନ୍ତେବାସୀ ବାବା ମାଧବଙ୍କୁ ଟାଣିଥିଲା ପୋଲିସ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































