ଘର ମାଲିକ ଅନୁପସ୍ଥିତର ସୁଯୋଗ ନେଇ ଚୋରୀ: ଘରୁ ତାଲା ଭାଙ୍ଗି ଟଙ୍କା, ସୁନା ଲୁଟ :ସନ୍ଦେହୀ ଯୁବକ ଅଟକ
କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁରାଦେଇ ଗ୍ରାମରେ ରହୁଥିବା ସୁନା ଦୋକାନୀ ନିରଞ୍ଜନ ପୃଷ୍ଟି ସପରିବାର ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ଚୋରୀ ହୋଇଥିବା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପ୍ରକାରେ ନିରଞ୍ଜନ ତାଙ୍କର ପରିବାର ସହ ୨୨ ତାରିଖ ଅପରାହ୍ନରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଲୁଣିବାହଲ ଅଞ୍ଚଳକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ।ପରଦିନ ୨୩ ତାରିଖ ଅପରାହ୍ନରେ ଘରକୁ ଫେରିବା ସହ ଘରର ଦୁଇଟି ବଖରା ତାଲା ଭଙ୍ଗା ଯାଇଥିବା ଦେଖି ତୁରନ୍ତ ପୋଲିସ କୁ ସୂଚନା ଦେବା ସହ ଥାନାରେ ଲିଖିତ ଏତଲା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଏସଆଇ ବିକାଶ କୁମାର ମଲ୍ଲିକ,ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ପ୍ରମୁଖଙ୍କ ସହ ସନ୍ଧାନୀ କୁକୁର ଟିମ ଆସି ଅନୁସନ୍ଧାନ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଘରକୁ ସନ୍ଧାନୀ କୁକୁର ପ୍ରବେଶ କରିଥିଲା। ସନ୍ଧାନୀ କୁକୁର ପ୍ରବେଶ କରିଥିବା ଘରର ଜଣେ ଯୁବକକୁ ପୋଲିସ ସନ୍ଦେହରେ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।ପ୍ରାଥମିକ ଅଭିଯୋଗ ପରେ ପୋଲିସ ଉପସ୍ଥିତରେ ନିରଞ୍ଜନ ତାଙ୍କର ସମସ୍ତ ସାମଗ୍ରୀ ଯାଞ୍ଚ କରିଥିବା ବେଳେ ନିରଞ୍ଜନ ନିଜର ଆଲମିରା ଭିତରେ ରଖିଥିବା ପ୍ରାୟ ୩୦ ହଜାର ଟଙ୍କା ଏବଂ ୬୦୦ ଗ୍ରାମ ସୁନା ଆଲମିରା ଭାଙ୍ଗି ଚୋରି ହୋଇଥିବା କହିଛନ୍ତି।ଏନେଇ ପୋଲିସ ସନ୍ଦେହ କରିଥିବା ଯୁବକଙ୍କ ଘରକୁ ଯାଞ୍ଚ କରିଥିବା ବେଳେ ଅଧିକ ତଦନ୍ତ କରୁଥିବା ଜଣାପଡିଛି।ଅଟକ ରଖାଯାଇଥିବା ଯୁବକ ଆଗରୁ ମଧ୍ୟ ଖଜୁରିପଡ଼ା ଅଞ୍ଚଳରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ରହିଥିବା ବେଳେ ପୋଲିସ ଏବଂ ଜନ ସାଧରଣଙ୍କ ସନ୍ଦେହ ବଢ଼ିବାରେ ଲାଗିଛି।ଖଜୁରୀପଡା ଥାନାରେ ଏନେଇ ୪୦/୨୧ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ସବଇନସ୍ପେକ୍ଟର ବିକାଶ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































