କନ୍ଧମାଳ:ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓବାଦୀଙ୍କ ଛତ୍ରଭଙ୍ଗ: ଏନକାଉଣ୍ଟର ସ୍ଥଳରେ କମ୍ବିଂଜାରୀ : ବିପୁଳ ମାଓ ସାମଗ୍ରୀ ଜବତ
କନ୍ଧମାଳ,୦୮ /୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ୪ ତାରିଖରେ ପୁଣି ଗୋଚ୍ଛାପଡା ଅଞ୍ଚଳରେ ୨୫ ମିନିଟ୍ ଧରି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସିଗଲେ ୨୦ରୁ ଅଧିକ ମାଓବାଦୀ। ଗୁଳି ବିନିୟମରେ କିଛି ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଆଜି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନିତ ଅଗ୍ରୱାଲ। ଏସ୍ପିଙ୍କ ସୂଚନା ପ୍ରକାରେ, ଫିରିଙ୍ଗିଆ ବ୍ଳକର ଗୋଚ୍ଛାପଡା ଥାନା କୋଲାମପଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଆଡ୍ଡା ଜମାଇଥିବା କୌଣସି ସୂତ୍ରରୁ ଖବର ପାଇ ସୋମବାର ସକାଳେ ଏହି ସ୍ଥାନରେ ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ ଆରମ୍ଭ କରାଯାଇଥିଲା। କମ୍ବିଂ ଅପରେସନ ସାରି ଫେରିବା ବେଳେ ଜଙ୍ଗଲ ଭିତରୁ ମାଓବାଦୀମାନେ ପୁଲିସ ବାହିନୀ ଉପରକୁ ତୁହାକୁ ତୁହା ଗୁଳି ବର୍ଷଣ କରିଥିଲେ। ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ମାଓବାଦୀ ଶୁଣିନଥିଲେ ବରଂ ଆକ୍ରମଣ ଜାରି ରଖିଥିଲେ। ଫଳରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଖସି ଯାଇଥିବା ଏସପି ପ୍ରକାଶ କରିଛନ୍ତି। ପରେ ସେଠାରେ ସର୍ଚ୍ଚ ଅପରେସନ କରାଯାଇ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ସୋଲାର ଲ୍ୟାମ୍ପ, ତାର, ବାସନ, ଔଷଧ,ପୋଷାକ, ଟର୍ଚ୍ଚ, ମୋବାଇଲ ବ୍ୟାଟେରୀ ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି। ଗୁଳି ବିନିମୟରେ ପୁଲିସ ପକ୍ଷରୁ କେହି ମୃତାହତ ହୋଇ ନ ଥିବା ବେଳେ କିଛି ମାଓବାଦୀ ଆହତ ହୋଇ ଥାଇ ପାରନ୍ତି ବୋଲି ଏସପି କହିଛନ୍ତି। ସଂପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଳି ବିନିମୟ ବେଳେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରିଛି। ଏହି ଗୋଷ୍ଠୀକୁ କେକେବିଏନ ଓଡିଶା କ୍ୟାଡରର ନେତା ଦାସୁର ନେତୃତ୍ୱ ନେଉଥିବା ସନ୍ଦେହ କରାଯାଉଛି ବୋଲି ଏସପି ଅଗ୍ରୱାଲ ସୂଚନା ଦେଇଛନ୍ତି। ଛତିଶଗଡଠାରେ ନିକଟରେ ଘଟିଥିବା ମାଓ ଆକ୍ରମଣ ପରିପ୍ରେକ୍ଷୀରେ ଜିଲାର ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି। ପ୍ରତି କ୍ଷେତ୍ରରେ ପୁଲିସ୍ ସଜାଗ ରହିଛି ବୋଲି ଏସ୍.ପି ପ୍ରକାଶ କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































