ଦୁଇ ଚକିଆ ଅମ୍ଳଜାନ ଏକ୍ସପ୍ରେସ ଆରମ୍ଭ
କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ଦେଖାଦେଇଥିବାରୁ ଓଡ଼ିଶା ସରକାର ପ୍ରଥମେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇଥିଲେ। ଏହି ସମୟରେ ଅମ୍ଳଜାନ ମହଜୁଦ ଥିଲେ ମଧ୍ୟ ଠିକ୍ ସମୟରେ ରୋଗୀମାନଙ୍କୁ ଯୋଗାଇଦେବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଅମ୍ଳଜାନର ଅଭାବ ନେଇ ଗୁଜବ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଘରେ ଏକାନ୍ତବାସରେ ରହୁଥିବା କରୋନା ରୋଗୀ ମାନଙ୍କ ନିକଟରେ ଆପାତ କାଳୀନ ସ୍ଥିତିରେ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ରକ୍ତଦାତା ମହାସଂଘ। ପ୍ରଥମ ଥର ପାଇଁ ଦୁଇଚକିଆ ଯାନରେ ଅମ୍ଳଜାନ ଗ୍ୟାସ କୁ ଅଳ୍ପ ସମୟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ଏହି ସମାଜସେବୀ ସଂଗଠନ। ବର୍ତ୍ତମାନ ମଧ୍ୟ ବହୁ ଅଞ୍ଚଳରେ ଚାରିଚକିଆ ଯାନ ଯିବାକୁ ଅସୁବିଧା ହେଉଛି ଏବଂ ସହରର ଗଳିକନ୍ଦିରେ କାର ଅପେକ୍ଷା ବାଇକରେ ପହଞ୍ଚିବା ସୁବିଧା କୁ ଅନୁଭବ କରି ଏଭଳି ଏକ ଚିନ୍ତାଧାରା କରାଯାଇଛି ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ଜଣାଇଥିଲେ। ଗତବର୍ଷ କରୋନାର ପ୍ରଥମ ଲହର ଆସିଥିବା ବେଳେ ଖାଦ୍ୟାଭାବ ଦେଖାଦେଇଥିବାରୁ ସଂସ୍ଥା ତରଫରୁ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏବର୍ଷ ଅମ୍ଳଜାନ ର ଅଭାବ ଦେଖାଦେଇଥିବାରୁ ଅମ୍ଳଜାନ ପହଞ୍ଚାଇବାକୁ ପ୍ରଚେଷ୍ଟା ଚାଲିଛି ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱର ଓ କଟକରେ ଚାରିଟି ମୋଟର ସାଇକେଲରେ ଅମ୍ଳଜାନ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ଦୈତନଗରୀ ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସେବାର ସୁବିଧା ଯୋଗାଇଦେବା ନେଇ ଆମେ ତତ୍ପର ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇଛନ୍ତି ସନ୍ତୋଷ କୁମାର ମହାନ୍ତି। ପୂର୍ବରୁ ରାଜ୍ୟ ସରକାର ଅମ୍ଳଜାନ ଯୋଗାଇ ଚର୍ଚ୍ଚାରେ ରହିଥିବାବେଳେ ବର୍ତ୍ତମାନ ରକ୍ତଦାତା ମହାସଂଘ ପକ୍ଷରୁ ଏହି ଅଭିନବ ଉପାୟକୁ ଜନତା ସ୍ୱାଗତ କରୁଛନ୍ତି। ଏ ନେଇ ପୋଲିସ କମିଶନର ମଧ୍ୟ ଓଡ଼ିଶା ରକ୍ତଦାତା ମହାସଂଘ କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































