ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦା ଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର: ନାବାଳକକୁ ଚାପୁଡ଼ା ମାଡ଼
ବାଲିଗୁଡା,୨୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ। ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମଦ୍ୟପ ଦୁଇ କନେଷ୍ଟବଳ ହେଲେ ଜି ଉଦୟଗିରି ଥାନାରେ କାର୍ଯ୍ୟରତ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନି। ସୂଚନା ମୁତାବକ ଅପରାହ୍ନ ୨ଟା ସମୟରେ ଜି ଉଦୟଗିରି ସହରର ଶ୍ରୀରାମପଦା ଛକରେ ମଦ୍ୟପାନ କରି ଆସିଥିବା ଦୁଇ ପୋଲିସ କନେଷ୍ଟବଳ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନି ଡ୍ୟୁଟି ଶେଷ ପରେ ମଧ୍ୟ ସେମାନଙ୍କ ଉତ୍ପାତ ଚଳାଇଥିଲେ। ସକାଳ ୭ ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଉଭୟଙ୍କ ଡ୍ୟୁଟି ସମୟ ହୋଇଥିଲେ ମଧ୍ୟ ଉଭୟ ମଦ୍ୟପାନ କରି ୨ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ। ଆଉ ଯାଞ୍ଚ ନାଁରେ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ନାଲି ଆଖି ଦେଖାଉଥିଲେ। ଏହି ସମୟରେ ସଚିତ କୁମାର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିବାରୁ ସ୍କୁଟି ଯୋଗେ ଔଷଧ ପାଇଁ ଆସିଥିଲେ। ହେଲେ ଉକ୍ତ କନେଷ୍ଟବଳ ଦୁଇଜଣ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ସ୍କୁଟି ପଛରେ ବସିଥିବା ଅନ୍ୟ ଜଣେ ନାବାଳକଙ୍କୁ ଚାପୁଡ଼ା ମାରିଥିଲେ। ତେବେ ଖବର ପାଇ କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଆଉ ଘଟଣା ସମ୍ପର୍କରେ ପଚାରିବାରୁ ଦୁଇ କନେଷ୍ଟବଳ ସାମ୍ବାଦିକମାନଙ୍କୁ ମଧ୍ୟ ନାଲି ଆଖି ଦେଖାଇବା ସହ ସେଠୁଚାଲି ଯାଇଥିଲେ। ଏନେଇ ଅସୁସ୍ଥ ସଚିତ କୁମାର ପୃଷ୍ଟି ଜି ଉଦୟଗିରି ଥାନାରେ ଦୁଇ କନେଷ୍ଟବଳ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନିଙ୍କ ନାମରେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଗୋଟିଏ ପଟେ ପୁରୀ ବଡଦାଣ୍ଡରେ ଦାଦାଗିରି ଓ ଅନ୍ୟପଟେ ଗଜପତିରେ ନିଶାଶକ୍ତ ଅବସ୍ଥାରେ ଡ୍ୟୁଟି କରିବାକୁ ନେଇ ପୋଲିସ ପ୍ରଶାସନକୁ ଲୋକେ ସମାଲୋଚନା କରୁଛନ୍ତି। ଏପଟେ ଦୁଇ କନେଷ୍ଟ ବଳଙ୍କ ଦାଦା ଗିରି l ଲକ ଡାଉନର ସୁଯୋଗ ନେଇ ଖାକିଧାରୀ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଦୁଇ କନେଷ୍ଟବଳଙ୍କ ବିରୁଦ୍ଧରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଜନସାଧାରଣ ଦେଖିବାକୁ ବାକି ରହିଲା l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































