ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଦ୍ୟାଳୟ ଅଧ୍ୟକ୍ଷ : ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର
ବାଲିଗୁଡା,୨୫/୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଧକ୍କା ଦେଲା ଏକ ମୋଟର ସାଇକେଲ । ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରତିକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେପଟେ ଧକ୍କା ଦେଇଥିବା ମୋଟରସାଇକେଲରେ ଥିବା ଦୁଇଜଣ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇଜଣ ବାଲିଗୁଡ଼ା ଭଗାମୁଣ୍ଡା ସାହିର ଗଗନ ଦଳପତି,ଜୀବନ ଦେହୁରୀ ନାମକ ଦୁଇଜଣ ଯୁବକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ କୌଣସି କାମରେ ରତିକାନ୍ତ ଓ ତାଙ୍କର ଜଣେ ସହଯୋଗୀ ବାଲିଗୁଡ଼ା ଥାନା ଜକିକିଆ ଅଞ୍ଚଳକୁ ଯାଇ ପୁଣି ବାଲିଗୁଡ଼ା ଫେରୁଥିଲେ । ମିଡ଼ିଆ କିଆ ଛକ ନିକଟରେ ରତିକାନ୍ତଙ୍କ ଫୋନ୍ ଆସିବାରୁ ନିଜ ସ୍କୁଟି ରାସ୍ତା କଡ଼ରେ ଠିଆ କରି ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଦୃତ ଗତିରେ ଆସୁଥିବା ଏକ ମୋଟରସାଇକେଲ ରତିକାନ୍ତଙ୍କୁ ଧକ୍କା ଦେବାପରେ ଠିଆ ହୋଇଥିବା ସ୍କୁଟିକୁ ମଧ୍ୟ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରତିକାନ୍ତଙ୍କ ସମେତ ଧକ୍କା ଦେଇଥିବାମୋଟରସାଇକେଲର ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରତିକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଗୁରୁତର ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































