ବାଲିଗୁଡା : ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ
ବାଲିଗୁଡ଼ା:୨୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ବଡ଼ିପଦର ରାଜସ୍ୱ ଗ୍ରାମ। ବଡ଼ିପଦର ଗ୍ରାମ ଓ ଗାହାଡାଡ଼ି ଗ୍ରାମରେ ସରକାରଙ୍କ ଯୋଜନା ସବୁ ଅପହଞ୍ଚ ହୋଇ, ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ସବୁ ସ୍ୱପ୍ନ ଭଳି ରହିଛି । ସରକାରୀ ଯୋଜନାରେ ଚାଲିଥିବା ପ୍ରକଳ୍ପ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ରାଜସ୍ୱ ଗ୍ରାମରେ ୪୫ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୨୫୦ ରୁ ଉର୍ଦ୍ଧ । ସେହିପରି ଗାହାଡ଼ାଡି ଗ୍ରାମରେ ୧୭ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୧୦୦ ରୁ ଉର୍ଦ୍ଧ । ହେଲେ ଏହି ଗାଁ ପ୍ରତି ସ୍ଥାନୀୟ ପ୍ରଶାସନର ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କୌଣସି ଆନ୍ତରିକତା ନଥିବା ଦେଖିବାକୁ ମିଳିଛି । ଗାଁ କୁ ଆଜି ପର୍ଯ୍ୟନ୍ତ ଗମନା ଗମନ ପାଇଁ ରାସ୍ତାଟିଏ ନଥିବା ସହ ପାନୀୟ ଜଳର ସୁବିଧା ନାହିଁ । ଏପରିକି ଗାଁରେ ନିର୍ମାଣ ହେଉଥିବା ଅଙ୍ଗନବାଡ଼ି ଘର କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇନାହିଁ । ୨୦୧୬ମସିହାରେ ଜାତୀୟ ରାଜପଥ ଠାରୁ ବଡିପଦର ଗ୍ରାମଦେଇ ବାଇମେଲା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଅନୁମୋଦନ ହୋଇଥିବା ବେଳେ ଉକ୍ତ ରାସ୍ତା କାର୍ଯ୍ୟ ନିର୍ମାଣରେ ପ୍ରଶାସନ କୌଣସି କାରଣରୁ ଚଞ୍ଚକତା କରି ବୁର୍ଜୁବାଡ଼ି ଛକ ଠାରୁ ବାଇମେଲାକୁ ରାସ୍ତା କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ଫଳରେ ବଡିପଦର ରାଜସ୍ୱ ଗ୍ରାମ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରୁ ବାଦ ପଡ଼ିଛି । ହେଲେ ବଡିପଦର ଗ୍ରାମ ନାଁରେ ରାସ୍ତା କାର୍ଯ୍ୟ ହୋଇଥିବା ନେଇ ସରକାରଙ୍କ ନଥିପତ୍ରରେ ପଞ୍ଜିକୃତ ହୋଇ ରହିଛି।ବଡିପଦର ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନଥିବା ଦେଖିବାକୁ ମିଳିଛି । ରାସ୍ତା ସମ୍ପୂର୍ଣ୍ଣ ଖାଲଖମା ସହ ଗୋଡ଼ି ବାହାରି ରହିଛି । ସେହିପରି ଅନ୍ୟ ଏକ ସମସ୍ୟା ହେଲା ପାନୀୟ ଜଳ ସମସ୍ୟା। ଗ୍ରାମରେ ୬ ଗୋଟି ନଳକୂପ ରହିଥିବା ବେଳେ ୪ ଗୋଟି ନଳକୂପ ଅଚଳ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଦୀପ ତଳ ଅନ୍ଧାର ସଦୃଶ୍ୟ ପ୍ରଶାସନର ଅଣଦେଖାରେ ପଡିରହିଛନ୍ତି ବଡିପଦର ରାଜସ୍ୱ ଗ୍ରାମବାସୀ। ବ୍ଲକ ଓ ଜିଲା ପ୍ରଶାସନଙ୍କ ଶୁଭଦୃଷ୍ଟି କେବେ ପଡିବ ? ସେହି ଅପେକ୍ଷାରେ ରହିଛନ୍ତି ବଡିପଦର ରାଜସ୍ୱ ଗ୍ରାମବାସୀ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































