କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ କେବେ ? ଓଡିଶାରୁ ରାଜ୍ୟ ସଭା ସାଂସଦ ରେଳ ମନ୍ତ୍ରୀ ହେବା ପରେ ଆଶା ଉଜ୍ଜଳ….
କନ୍ଧମାଳ,୧୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ଏବେ କେନ୍ଦ୍ରରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ପ୍ରକଳ୍ପ ତ୍ଵରାନିତ ହେବା ଆଶା ଉଜ୍ବଳ ହେବ ବୋଲି ଆଶା କରାଯାଉଛି।୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ତାଳଚେର-ଲାଞ୍ଜିଗଡ଼ ରେଳ ପ୍ରକଳ୍ପ ପାଇଁ ପୂର୍ବତଟ ରେଳବାଇକୁ ଏକ ସର୍ଭେ ନିମେନ୍ତ ଚିଠି କରିଥିଲେ। ଏହାର ଦୈର୍ଘ୍ୟ ୨୩୦ କିଲୋମିଟର ଓ ଏଥିପାଇଁ ୫୨୦୫.୯୬ କୋଟି ଅଟକଳ ମୂଲ୍ୟର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଥିଲେ। ରେଳ ବିଭାଗ ଏହାର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛି। ଏହା ଝାରପଡ଼ା ଷ୍ଟେସନରୁ ଆରମ୍ଭ ହୋଇ ବଇଣ୍ଡା, ହଣ୍ଡପା, ଠାକୁରଘର, ଆଠମଲ୍ଲିକ, ପୁରୁଣା କଟକ, ଚାରିଛକ, ଆଦିନଗଡ଼, ଗରିପଡ଼ା, ଖଜୁରୀପଡ଼ା, ରଙ୍ଗାପଦର, ଫୁଲବାଣୀ, ରତାଖଣ୍ଡି, ସାରଙ୍ଗଗଡ଼, ସାପାକାମ୍ବା, ବାଲିଗୁଡ଼ା, ଲାହାଡ଼ି, ବାଲିବାଜୁ ଦେଇ ମଦନପୁର-ରାମପୁର, ଗୁଡେନ୍ ଦେଇ ଲାଞ୍ଜିଗଡ଼ ରୋଡ଼ରେ ସଂଯୋଗ ହେବ। ଯାହା ଅନ୍ୟ ରେଳପଥ ଅପେକ୍ଷା ଲାଞ୍ଜିଗଡ଼କୁ ଦୂରତା ୧୦୦ କିଲୋମିଟର କମିଯିବ। ରେଳବାଇ ବୋର୍ଡ଼ର ଏକ ରିପୋର୍ଟକୁ ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ମଧ୍ୟ କରିଥିଲେ। କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ରହୁଥିବା ବେଳେ ରେଳପ୍ରକଳ୍ପ ନଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯଟନସ୍ଥଳୀକୁ ପର୍ଯ୍ୟଟକ ସୁବିଧାରେ ଆସିପାରୁ ନାହାନ୍ତି। ଏହା ସହ ଜିଲ୍ଲାରେ ଗ୍ରାଫାଇଟ୍ ପାହାଡ଼ ମହଜୁଦ୍ ଥିବାବେଳେ ରେଳ ସଂଯୋଗ ହେଲେ ଏହାକୁ ଭିତ୍ତି କରି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ସ୍ବପ୍ନ ମଧ୍ୟ ସାକାର ହୋଇପାରିବ। ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ରହିବ, ତେବେ ଖୁବ୍ ଶୀଘ୍ର ଜମି ଚିହ୍ନଟ ଓ ଅଧିଗ୍ରହଣ କରି ରେଳବାଇକୁ ପ୍ରଦାନ କଲେ କନ୍ଧମାଳବାସୀ ଉପକୃତ ହେବା ସହ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ବାଲିଗୁଡ଼ା ଉପଖଣ୍ଡ ସଦର ମହକୁମାକୁ ରେଳ ସଂଯୋଗ ହୋଇ ପାରିବ। ଏଥିସହ ରେଳବିହୀନ ଜିଲ୍ଲା ତାଲିକାରୁ କନ୍ଧମାଳ ବାଦ୍ ପଡ଼ିବ ବୋଲି ମତପ୍ରକାଶ ପାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































