ପୁରାତନ କାଳର ରାସ୍ତାକୁ ବନ୍ଦ କରିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି
ବାଲିଗୁଡା,୧୬/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ର କି.ନୁଆଗାଁ ଗ୍ରାମରେ ଭୁମିହୀନ ଚାଷୀ ମୁଲିଆ ଆଦିବାସୀ ତଥା ପାରମ୍ପାରିକ ବନବାସୀ ମାନେ ବସବାସ କରି ଆସୁଛନ୍ତି। କାହିଁ କେଉଁ ପୁରାତନ କାଳରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ କିଛି ଚାଷଜମିକୁ ଚାଷ କରିବା ନିମନ୍ତେ ପରମ୍ପରା ରାସ୍ତାଦେଇ ହଳ ବଳଦ ନେବାଆଣିବା ଏବଂ ଜଙ୍ଗଲକୁ ଯିବା ଆସିବା କରି ଆସୁଥିଲେ। ହେଲେ କି.ନୁଆଗାଁ ଗ୍ରାମର କିଛି ଖଳ ପ୍ରକୃତି ବ୍ଯକ୍ତିମାନେ ସେହି ରାସ୍ତାକୁ ବନ୍ଦ କରିବା ନିମନ୍ତେ ରାସ୍ତାର ଆମ୍ବଗଛ ଶାଖା ଗୁଡ଼ିକୁ କାଟି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଭୁମିହୀନ ଦଳିତ ଆଦିବାସୀ ବା ଅନ୍ଯାନ୍ଯ ପାରମ୍ପାରିକ ବନବାସୀ ମାନେ ହଳ ବଳଦ ନେବା ଆଣିବା ତଥା ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହା ଫଳରେ ଆଗକୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ପାରମ୍ପାରିକ ଭାବରେ ବ୍ଯବହୃତ ହୋଇ ଆସୁଥିବା ଜଙ୍ଗଲ ରାସ୍ତା ଉପରେ ଅଧିକାର ଆଇନର ଧାରା ଅନୁସାରେ ଆଇନ ଉପରେ ଆଶ୍ରୟ ନେବାପାଇଁ ସାଧାରଣ ଭାବରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି। ଏହି ରାସ୍ତା ଅବରୋଧ ନେଇ ଗତବର୍ଷ ମଧ୍ୟ ଉଭୟ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିବା ସେହି ଗ୍ରାମର ବଳଭଦ୍ର ମଳିକ ସୂଚନା ପ୍ରଦାନ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































