ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ
ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି। ରାଇକିଆ-ଅଲିମାହା ରାସ୍ତାରେ ଥିବା ଏକ କୂଅ ମଧ୍ୟକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରକୁ ଠେଲି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ କେସ ନଂ ୭୧/୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଉଭୟ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କୁ ପଚରାଉଚରା ଚଳାଇଥିଲା।ଅନ୍ୟପଟେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା। ରାଜେଶଙ୍କ ପରକୀୟା ପ୍ରୀତି ଯୋଗୁଁ ଘରେ ସବୁ ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଏପରିକି ବହୁ ସମୟରେ ରାଜେଶ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିବା ନେଇ ଭାଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି କାରଣରୁ ମାନସିକ ଭାରସାମ୍ୟ ହରାଇ ଭାଗ୍ୟଲକ୍ଷ୍ମୀ ଦୂୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































