ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୬ ଘଣ୍ଟା ଧରି ଦୋକାନ ବଜ଼ାର ବନ୍ଦ
ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମାକୁ ଛାଡି ଦେଲେ ବ୍ଲକ ଅଞ୍ଚଳରେ ବ୍ରାହ୍ମଣୀଗାଁ ବଜାରର ଅନ୍ୟତମ ସ୍ୱତନ୍ତ୍ରତା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଏହି ବଜାରରେ ଅନେକ ସମସ୍ୟା ଲାଗି ରହିଛି। ବ୍ରାହ୍ମଣୀଗାଁରେ କଳା ଓ ବାଣିଜ୍ୟର ଡିଗ୍ରୀ କଲେଜ ସହିତ, ସରକାରୀ ଉଚ୍ଚ ବିଦ୍ୟାଳୟ ,ବାଳିକା ଉଚ୍ଚ ବିଦ୍ୟାଳୟ , ଇଂରାଜୀ ମିଡିୟମ ସ୍କୁଲ , ଷ୍ଟେଟବ୍ୟାଙ୍କ, ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ , ବନାଞ୍ଚଳ କାର୍ଯ୍ୟାଳୟ ସହିତ ଡାକ୍ତର ଖାନା ଭଳି ବିଭିନ୍ନ ସୁବିଧା ରହିଥିବାରୁ ପ୍ରତିଦିନ ବିଭିନ୍ନ ଆବଶ୍ୟକତା ନେଇ ଶତାଧିକ ଲୋକଙ୍କ ଜନ ସମାଗମ ରହୁଛି। ହେଲେ ବିଦ୍ୟୁତ ବ୍ୟବସ୍ଥା କୋଡିଏରୁ ଅଧିକ ଦିନ ନିୟମିତ ଠିକ ଭାବେ ରହୁନାହିଁ। ଏକମାତ୍ର ସାହା ଭରଷା ବିଏସଏନଏଲ ଟାୱାର ରହିଛି ହେଲେ ଉଚିତ ସେବାରୁ ଅଞ୍ଚଳ ବାସୀ ବଞ୍ଚିତ ହେଉଛନ୍ତି l , ଜିଓ ନେଟୱର୍କ ସେବା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ସାଂସଦଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ ସୁଫଳ ମିଳିନାହିଁ। ବଜ଼ାରରେ ପରିଶ୍ରା ଗାର ଓ ଶୌଚାଳୟ ନାହିଁ, କୋଭିଡ ଟୀକାକରଣ ସମସ୍ତଙ୍କୁ କରାଯିବା, ପଞ୍ଚାୟତ ଓ ବ୍ୟବସାୟିକ ସଙ୍ଘ ପକ୍ଷରୁ ବଜାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହିତ ଷ୍ଟ୍ରୀଟ ଲାଇଟ ଜାଳିବା ଭଳି ବହୁ ସମସ୍ୟାର ସମାଧାନ କରାଯିବା ନେଇଁ ବ୍ରାହ୍ମଣୀଗାଁ ବ୍ୟବସାୟିକ ସଂଘ ପକ୍ଷରୁ ଶୁକ୍ରବାର ସକାଳ ୬ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ଯାଏ ଦୋକାନ ବଜାର ବନ୍ଦ ରଖି ଏକ ବୈଠକ କରିଥିବା ଜଣାପଡ଼ିଛି। ଏହି ବୈଠକରେ ବ୍ୟବସାୟିକ ସଂଘର ସଭାପତି ବିକ୍ରମ ବସ୍ତିରାୟ, ଉପସଭାପତି ମନୋଜ ପାତ୍ର , ସମ୍ପାଦକ ଲିଙ୍ଗରାଜ ପଣ୍ଡା, ସରପଞ୍ଚ ରମେଶ ମାଝୀ, ସମିତି ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂଙ୍କ ସହିତ ବଣିକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି ବ୍ରହ୍ମଣୀଗାଁରେ ବଜାରି କରଣର ସୁବିଧା ରହିଥିବା ସହିତ ମୁଖ୍ୟକରି ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ସୁଵିଧା ରହିଥିବାରୁ ବ୍ଲକ ଅଂଚଳର ୮ଗୋଟି ପଞ୍ଚାୟତ ସହିତ ସୀମାନ୍ତ ବର୍ତ୍ତି ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ୪ ଟି ପଞ୍ଚାୟତ ବାସୀ ବ୍ରହ୍ମଣୀଗାଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅଞ୍ଚଳର ସମସ୍ୟାକୁ ସମାଧାନ କରିବାକୁ ପ୍ରବଳ ଦାବୀ ହେଉଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































