ବଡମ୍ବାରେ ସହଯୋଗ”ତାଲିମ୍ ଶିବିର ଉଦଯାପିତ
:
ସରକାରୀ ଗୋପମଥୁରା ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟାମାନଙ୍କ ୨ ଦିବସୀୟ ତାଲିମ ଶିବିର ଆଜି ସମାପ୍ତ ହୋଇଛି । ପରିଚାଳନା ସମିତିର ଆବାହକ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ୨୮.୦୯.୨୦୨୧ରୁ ଆରମ୍ଭ ହୋଇଥିବା “ସହଯୋଗ”ତାଲିମ ଶିବିର ୨୯.୦୯.୨୦୨୧ରେ ସମାପନ ହୋଇଥିଲା । ପରିଚାଳନା ସମିତିର ସମସ୍ତ ସଦସ୍ୟ ମାନେ ୨ ଦିନର କାର୍ଯ୍ୟସୂଚୀ ଅନୁଯାୟୀ ସଠିକ ସମୟରେ ଆସି ଅଂଶଗ୍ରହଣ କରିବା ସହିତ ପରିଚାଳନା ସମିତିର କାର୍ଯ୍ୟ ଏବଂ ସହଭାଗିତା ଉପରେ ଅନେକ ତଥ୍ୟ ଜାଣିବା ସହିତ ବିଦ୍ୟାଳୟର ଏକ ମୁଖ୍ୟ ଅଂଶ
ପରିଚାଳନା ସମିତି ବୋଲି ଅନୁଭବ କରିଥିଲେ । ପରିଚାଳନା ସମିତିର ସଦସ୍ୟ ତଥା ଶିକ୍ଷକ ପ୍ରତିନିଧି ପ୍ରଶାନ୍ତ କୁମାର ଲେଙ୍କା ସୁନ୍ଦର ଭାବରେ ପରିଚାଳନା ସମିତିର ସମସ୍ତ କାର୍ଯ୍ୟ ଆସିଥିବା ମଡୁଲ ଅନୁସାରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏଥିସହିତ ଗତ ଦେଢ଼ମାସରୁ ଉର୍ଦ୍ଧ୍ବ ଚାଲିଥିବା “ଆମ ପାଠଶାଳା ଆମ ପାଖରେ”ଯାହା ବଡ଼ମ୍ବାର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାନସ ସନ୍ତାନ କହିଲେ ଅତ୍ୟୁକ୍ତି ହେବ ନାହିଁ ସେହି ବିଷୟରେ ମଧ୍ୟ ପ୍ରଧାନଶିକ୍ଷକ ଆଲୋଚନା କରିଥିଲେ । ଅନଲାଇନ ପାଠ ପଢାରୁ ବଞ୍ଚିତ ବିଦ୍ୟାର୍ଥିମାନେ କିପରି ପାଠ ପଢିବେ ସେଥିପାଇଁ ବିଦ୍ୟାଳୟର ସମସ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାଁର ବିଭିନ୍ନ କୋଠଘର, ମନ୍ଦିର ଓ ଭାଗବତଟୁଙ୍ଗୀରେ “ଆମ ପାଠଶାଳା ଆମ ପାଖରେ”ପାଠପଢ଼ା ଜାରି ରଖି (କୋଭିଡ “୧୯” ପାଇଁ ବନ୍ଦ ହୋଇଯାଇଥିବା ଦେଢବର୍ଷରୁ ଉର୍ଦ୍ଧ୍ବ ) କୋମଳମତି ଛାତ୍ର ଓ ଛାତ୍ରୀଙ୍କୁ ପାଠଦାନରେ ସହଯୋଗ ପ୍ରଦାନ କରୁଛନ୍ତି । ଏଥିପାଇଁ ସମସ୍ତ ଅଭିଭାବକ ମହଲରେ ବଡ଼ମ୍ବା ଶିକ୍ଷା ଅଧିକାରୀଙ୍କ ପାଇଁ ସାଧୁବାଦର ସୁଅ ଛୁଟିଛି କାରଣ ଏହି କାର୍ଯ୍ୟକ୍ରମ କେବଳ ସମ୍ଭବ ହୋଇଛି ବଡ଼ମ୍ବାର ଶିକ୍ଷା ଅଧିକାରୀଙ୍କ ଅଦମ୍ୟ ଚେଷ୍ଟା ଓ ଦୃଢ ମନୋବଳ ପାଇଁ । ପୁଣିଥରେ ସେପ୍ଟେମ୍ବର ମାସର ଆରମ୍ଭରୁ “ରାଷ୍ଟ୍ରୀୟ ପୋଷଣ ମାହା”ମାଧ୍ୟମରେ ପିଲାମାନଙ୍କୁ ସଚେତନତା ବାର୍ତ୍ତା ସୃଷ୍ଟି କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହିତ କ୍ଷେତ୍ର ପରିଭ୍ରମଣ ଏବଂ ଚକୁଳିଆ ପଣ୍ଡାଙ୍କ ଭଳି ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ମଧ୍ୟ ପହଞ୍ଚି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ସର୍ବଶେଷରେ ଆସିଥିବା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ତାଲିମ ଶିବିରକୁ ସମାପ୍ତ କରାଯାଇଥିଲା ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































