ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂଜା ଆରମ୍ଭ
ବରଗଡ଼ ୬/୧୦(ସତ୍ୟ ନାରାୟଣ ପ୍ରଧାନ)
ଦଶହରା ଶୁକ୍ଳ ପକ୍ଷ ପ୍ରତିପଦାରୁ ଆରମ୍ଭ ହୁଏ ମା’ ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂଜନୋତ୍ସବ । ଶାସ୍ତ୍ରାନୁସାରେ ଏହି ପୂଜନୋତ୍ସବର ବିଶେଷ ଗୁରୁତ୍ୱ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରି ଅନେକ ଶୁଭଫଳ ପ୍ରାପ୍ତ ହୋଇଥାନ୍ତି । ନବରାତ୍ରି ପୂଜନୋତ୍ସବ ସମୟରେ ମା’ ଦୁର୍ଗା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କ୍ରମାନୁସାରେ ସେହି ରୂପଗୁଡ଼ିକ ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଂଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ ।ଜଗତରୁ ରୋଗ, କ୍ଲେଶ ଓ ନାକାରାତ୍ମକ ଶକ୍ତି ସକଳର ବିନାଶ ଅର୍ଥେ ଏହି ପୂଜନୋତ୍ସବ ପାଳନ କରାଯାଉଥିବା ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଆଜି ମଧ୍ୟ ରାତ୍ରରୁ ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଖଣ୍ଡାଧୂଆ,କଳସ ଆବାହନ ପୂଜା ପରେ ମାଁ ଙ୍କ ନବ ଦିନାତ୍ମକ ଶାରଦୀୟ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହେବ। ଏଥିପାଇଁ ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ, ମାଁ ଶ୍ୟାମାକାଳୀ, ମାଁ ଜଗତ ଜନନୀ ଦୁର୍ଗା (ହାଟପଦା) ମନ୍ଦିର ଗୁଡିକ ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ସାମାନ୍ୟ କୋହଳ ଥିବା ଯୋଗୁ ନବ ଦିନାତ୍ମକ ମାନସିକ ଜାଗର ପ୍ରଜ୍ବଳନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































