ଆଇନଗତ ସଚେତନତା ମାଧ୍ୟମରେ ମହିଳା ସଶକ୍ତିକରଣ
ଢେଙ୍କାନାଳ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ଗୃହ ଠାରେ ଦୁଇ ଦିନ ଧରି ଆଇନଗତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଏବଂ ମହିଳା ମାନେ କିପରି ଆଇନଗତ ସଶକ୍ତିକରଣ ହୋଇ ପାରିବେ ସେ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଉତ୍ସ ବ୍ୟକ୍ତି , ମାନସୀ ମହାପାତ୍ର , ଭାରତୀୟ ସମ୍ବିଧାନରେ ଥିବା ମହିଳା ମାନଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଏତଦ୍ ସହିତ ମହିଳା ମାନଙ୍କ ପାଇଁ ହୋଉଥିବା ଘରୋଇ ହିଂସାକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଉତ୍ସ ବ୍ୟକ୍ତି , ସଜିତି ସାହୁ , ମହିଳା ମାନଙ୍କ ପାଇଁ ସାସ୍ଥ୍ୟ କ୍ଷେତ୍ରରେ ଥିବା ଅଧିକାର ଏବଂ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଅପରାଧକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକର ଅଙ୍ଗନୱାଡି କର୍ମୀ , ଅଣ ସରକାରି ସଂଗଠନର ମହିଳା କର୍ମଚାରୀ , ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପି.ଏଲ.ଭି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ପ୍ରାଧିକରଣର ପି.ଏଲ.ଭି କବିତା ବେହେରା , ବସିଷ୍ଠ ବରାଳ ଓ ଅନୁପ ନାୟକ ଶିବିର ପରିଚାଳନାରେ ସହାୟତା କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































