ଗ୍ରାମ୍ୟଦେବୀଙ୍କ ଜମି ହଡପ ମାମଲା : ସଂପୃକ୍ତ ଅଫିସରଙ୍କ ବିରୋଧରେ ୪୨୦ ମାମଲା ରୁଜୁ ପାଇଁ ଦାବି
ବରଗଡ଼ (ଉଲାପ୍ର)
ଶ୍ରୀ ଶ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ମନ୍ଦିର ଜମି ହଡପ କେଲେଙ୍କାରୀରେ ସଂପୃକ୍ତଥିବା ଆମୂଳ ଚୂଳ ସମସ୍ତ ଅଫିସରଙ୍କ ବିରୋଧରେ ପ୍ରଥମେ ୪୨୦ ମାମଲା ରୁଜୁ କରାଯିବା ସହ ଜମି ହଡପ ନେଇ ବରଗଡ଼ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବରଗଡ଼ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି । ବରଗଡ଼ ସମଲେଶ୍ୱରୀ ମନ୍ଦିରର ଜମି ଜାଲିଆତି କରି ହଡପ କରାଯାଇଥିବା ବେଳେ ଏହାକୁ ନେଇ ଶୁକ୍ରବାର ମନ୍ଦିର ପରିଚାଳନା କମିଟୀ ତରଫରୁ ସହରର ବିଭିନ୍ନ ରାଜନୈତିକ , ସାମାଜିକ ତଥା ସାଂସ୍କୃତିକ ସଂଗଠନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟୀର ସଭାପତି ସମୀର ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବରଗଡ଼ ସାମ୍ବାଦିକ ସଂଘର ଉପସଭାପତି ବୀରେନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ । ଯେଉଁମାନେ ମାଁ ଭୂସଂପତି ହଡପ କରିଛନ୍ତି ତାଙ୍କ ନାମ ସାର୍ବଜନୀନ କରାଯିବା ସହ ସେମାନଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ମାଁ ଙ୍କ ଜମି ଫେରିବା ପର୍ଯ୍ୟନ୍ତ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ଆଗାମୀ ଦିନରେ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କ ଜମି ଫେରାଇବା ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟୀ ଗଠନ ପାଇଁ ନିଷ୍ପତି ହୋଇଥିଲା । ଏହା ସହ ଆଗାମୀ ମଙ୍ଗଲବାର ଦିନ ଦଳମତ ନିର୍ବିଶେଷରେ ଏକ ସର୍ବଦଳୀୟ କମିଟୀ ବରଗଡ଼ ଜିଲ୍ଳାପାଲଙ୍କୁ ଭେଟି ଏ ନେଇ ଆଲୋଚନା କରିବାକୁ ପ୍ରସ୍ତାବ ନିଆଯାଇଥିଲା । ଆଜିର ବୈଠକରେ ଜିଲ୍ଳା ଓକିଲ ସଂଘ ସଭାପତି କୁଶ ପ୍ରଧାନ, ବିଜେପି ଜିଲ୍ଳା ସଭାପତି ଅଶ୍ୱିନୀ ଷଡଙ୍ଗୀ, ବଣିକ ସଂଘ ସଭାପତି ପ୍ରଦୀପ ଦେବତା, ସୁରେଶ୍ୱର ଶତପଥୀ , ହାଟପଦା ଦୁର୍ଗା ମନ୍ଦିରରରୁ ରାଜେନ୍ଦ୍ର ପ୍ରସାଦ ସିଂ, ଶ୍ୟାମାକାଳୀ ମନ୍ଦିର ତରଫରୁ ଗୌରାଙ୍ଗ ନାୟକ , କଂଗ୍ରେସରୁ ନିପନ ଦାଶ, ଆପ ରୁ ଭବାନୀ ପ୍ରସାଦ ସାହୁ , ଆଇନଜିବୀ ଶିରୀଷ ବଲ୍ଳଭ ମିଶ୍ର, ଲିପସିତ ମିଶ୍ର, ବ୍ରହ୍ମାନନ୍ଦ ମହାକୁଡ , ବଜରଙ୍ଗ ଦଳ ତରଫରୁ କିଶୋର ବିଭାର, ହୃଷିକେଶ ଭୋଇ, ଉତ୍କଳ ଗୌରବ କଳାକାର ସଂଘ ତରଫରୁ ଗୁରୁଚରଣ ସାହୁ , ମାରୱାଡି ସମ୍ମେଳନ ତରଫରୁ କିଶୋର ଅଗ୍ରୱାଲ ,ବରିଷ୍ଠ ଆଇନଜିବୀ ନିଧୁବନ ବିହାରୀ ପଣ୍ଡା ଓ ସୁରେନ୍ଦ୍ର ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ଜୟନ୍ତ ମହାରଣା, ରଣେଶ୍ୱର ରାମଚଣ୍ଡୀ ଯୁବକ ସଂଗଠନ ତରଫରୁ ପରେଶ ବିଶି, ବରିଷ୍ଠ ନାଗରିକ ସଂଘ ତରଫରୁ କେଦାର ମିଶ୍ର, ଭୋଲାନାଥ ଦାଶ, ଜ୍ଞାନ ପ୍ରକାଶ କର, ଆଇନଜିବୀ ବିଶ୍ୱନାଥ ଦାଶ ଏବଂ ଲଲାଟେନ୍ଦୁ ବେହେରା, ସାମ୍ବାଦିକ ଲଲାଟେନ୍ଦୁ ଦାଶ , ପଶ୍ଚିମ ଓଡିଶା ଯୁବାମଂଚ ର ସଦସ୍ୟ ଙ୍କ ସମେତ ବରଗଡ ସହରର ବହୁ ସାମାଜିକ ତଥା ସାଂସ୍କୃତିକ ସଂଗଠନର କର୍ମକର୍ତାମାନେ ଯୋଗଦାନ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































